କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ସିନ୍ଧେକେଲାରେ ଅବକାରୀ ବିଭାଗ ଚଢ଼ଉ କରି ଶନିବାର ୧୮୦ ବୋତଲ କଫ୍ସିରପ୍ ଜବତ କରିବା ସହ ଅଭିଯୁକ୍ତ ପ୍ରମୋଦ ତ୍ରିପାଠୀ (୩୩ବର୍ଷ)ଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ସିନ୍ଧେକେଲା ଶିବମନ୍ଦିର ପଡ଼ାର ପ୍ରମୋଦ ତ୍ରିପାଠୀ ସିନ୍ଧେକେଲା ବଜାର ନିକଟରେ ବେଆଇନ ଭାବେ କଫ୍ସିରପ୍ ବିକ୍ରି କରୁଥିବା ଅବକାରୀ ବିଭାଗ ସୂଚନା ପାଇଥିଲା। ଶନିବାର ଟିଟିଲାଗଡ଼, ବଙ୍ଗୋମୁଣ୍ଡା ଓ କଣ୍ଟାବାଞ୍ଜି ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ମିଳିତ ଭାବେ ଚଢ଼ଉ କରିଥିଲେ।
ଅଭିଯୁକ୍ତ ପ୍ରମୋଦ ଚାନ୍ଦୋତରା ପୋଲ ପାଖରେ ଉକ୍ତ କଫ୍ସିରପ୍ ଅନ୍ୟତ୍ର ପରିବହନ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଏମାନେ ମାଡ଼ିବସିଥିଲେ। ସେଠାରୁ ଶହେ ଏମ୍ଏଲ୍ର ୧୮୦ଟି ଏସ୍କଫ୍ ବୋତଲ ଜବତ କରିଥିଲେ। ଏହି ଚଢ଼ଉରେ କଣ୍ଟାବାଞ୍ଜି ଅବକାରୀ ଅଧିକାରୀ ସଚିନ ବେହେରା, ଅଫିସର ଇନ୍ର୍ଚାଜ ପ୍ରବୀଣ ସାହୁ, ଏଏସ୍ଆଇ ଆର୍ତ୍ତତ୍ରାଣ ବହିଦାର, ବଙ୍ଗୋମୁଣ୍ଡା ଅବକାରୀ ବିଭାଗ ଅଫିସର ଇନ୍ର୍ଚାଜ ସୁମିତ ସାହୁ, ଏଏସ୍ଆଇ ଯତୀନ ଦୀପ, ଟିଟିଲାଗଡ଼ ଅଧିକାରୀ ଆଶିଷ ବେହେରା, ଏଏସ୍ଆଇ ସମୀର ଭୋଇ ପ୍ରମୁଖ ସାମିଲଥିଲେ। ପରେ ଅଭିଯୁକ୍ତ ପ୍ରମୋଦଙ୍କୁ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠା ଯାଇଥିବା ସୂଚନା ମିଳିଛି।