ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା: ୧୮୩୦ ଜଣ ଚାକିରି ପାଇଁ ମନୋନୀତ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ ଓଡ଼ିଶା ଦକ୍ଷତା ବୃଦ୍ଧି ପ୍ରାଧିକରଣ ମିଳିତ ସହଯୋଗରେ ରାଇରଙ୍ଗପୁର ବ୍ଲକ ପଡ଼ିଆଠାରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୮୩୦ ଜଣ ଆଶାୟୀ ଯୁବକ ଓ ଯୁବତୀ ମନୋନୀତ ହୋଇଛନ୍ତି। ନିଯୁକ୍ତି ପାଇଁ ଅପେକ୍ଷାରେ ଆଶାୟୀ ପ୍ରାର୍ଥୀମାନଙ୍କୁ ଏହି ମେଳାର ପୂର୍ଣ୍ଣ ସୁଯୋଗ ନେବା ପାଇଁ ଜିଲ୍ଲlପାଳ ପରାମର୍ଶ ଦେଇ କହିଥିଲେ କି ଯେହେତୁ ଅନେକ ନିଯୁକ୍ତି ଦାତା ଓ ଚାକିରି ପାଇଁ ଆଶାୟୀ ଅନେକ ଯୁବକ ଓ ଯୁବତୀ ଉଭୟ ଗୋଟିଏ ସ୍ଥାନରେ ଏକାଠି ହୋଇଛନ୍ତି। ସେହି ଦୃଷ୍ଟିରୁ ଚାକିରି ଅନ୍ୱେଷଣରେ ଥିବା ପ୍ରତ୍ୟେକ ନିଜ ନିଜ ପସନ୍ଦ ମୁତାବକ ଚାକିରି ପାଇବାରେ ଏହି ନିଯୁକ୍ତି ମେଳା ବେଶ ସହାୟକ ହେବ। ଉକ୍ତ ନିଯୁକ୍ତି ମେଳାରେ ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ ଟି ବ୍ଲକର  ୫ମ ଶ୍ରେଣୀ ପାସ ଠାରୁ ଦଶମ +୨,+୩, ଆଇ.ଟି.ଆଇ, ଡିପ୍ଲୋମା ପାସ ଶିକ୍ଷାଗତ ଯୋଗ୍ୟତା ଥିବା ଓ ବୟସ ସୀମା ୧୮ ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ବହୁ ବେକାର ଯୁବକ ଯୁବତୀ ଅଂଶ ଗ୍ରହଣ କରିଥିଲେ।
ଆଜିର ଏହି ନିଯୁକ୍ତି ମେଳାରେ ୩୦ଟି ନିଯୁକ୍ତି ଦାତା ୯୫୩ ଜଣକୁ ପ୍ଲେସମେଣ୍ଟ ପାଇଁ ଚୟନ କରିଥିବା ବେଳେ ୮ ଟି ସରକାରୀ ଟ୍ରେନିଂ ପାର୍ଟନର ୩୯୭ ଜଣ ପ୍ରାର୍ଥୀଙ୍କୁ ତାଲିମ ଓ ତାଲିମ ପରବର୍ତ୍ତୀ ନିଯୁକ୍ତି ପାଇଁ ଚୟନ କରିଛନ୍ତି। ସେହିପରି ୬ ଗୋଟି ସରକାରୀ ଅନୁଷ୍ଠାନ ୧୪୨ ଜଣଙ୍କୁ ଆତ୍ମ ନିଯୁକ୍ତି ତାଲିମ ଏବଂ ଅନ୍ୟାନ୍ୟ ବୃତ୍ତିଭିତ୍ତିକ ପରାମର୍ଶ ପାଇଁ ଚୟନ କରି ଥିଲେ। ଉକ୍ତ ମେଳାରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟରୁ ୪୪ଟି ନିଯୁକ୍ତିଦାତା ଅନୁଷ୍ଠାନ ଯୋଗ ଦେଇଥିଲେ।
 ଜିଲ୍ଲା ନିୟୋଜନ ଅଧିକାରୀ ଆଶିଷ କୁମାର ବସନ୍ତିଆଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ନିଯୁକ୍ତି ମେଳାକୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶ, ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ହେମନ୍ତ କୁମାର ସିଂ, ରାଇରଙ୍ଗପୁର ବିଡିଓ ସାଗର ଚନ୍ଦ୍ର ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର