ଭୋକର ଦୁଇ ବିକଳ ଚିତ୍ର: ଘରେ ବାହାରେ ଆଉଟୁ ପାଉଟୁ, ଗୁଜୁରାଟରେ ୧୯ ଓଡ଼ିଆ ଉପାସ

ତାଳଚେରରେ ୪୦ମୁଣ୍ଡା ପରିବାର ଭୋକିଲା

ଅନୁଗୁଳ: ଆଶ୍ୱସ୍ତ କରିଥିଲେ ସରକାର। ଲକ ଡାଉନ ବେଳାରେ ଭୋକିଲା ରହିବେନି ପ୍ରବାସୀ ଶ୍ରମିକ। ରାଜ୍ୟରେ ଫସିଥିବା ଶ୍ରମିକଙ୍କ ପାଇଁ କରିବେ ଖାଦ୍ୟପେୟ ବ୍ୟବସ୍ଥା। ରାଜ୍ୟ ବାହାରେ ଥିବା ଓଡ଼ିଆ ଶ୍ରମିକଙ୍କୁ ସ୍ଥାନୀୟ ସରକାରଙ୍କ ସହଯୋଗ ରେ ଖାଦ୍ୟ ଯୋଗାଯିବ। କିନ୍ତୁ, ଦ୍ୱିତୀୟ ଥରରେ ବିଭିନ୍ନ ରାଜ୍ୟରେ ଲକ ଡାଉନ ଅବଧି ବୃଦ୍ଧି କରା ଯାଇଥିବା ବେଳେ ନା ଓଡିଶା ଭିତରରେ ଗରିବଙ୍କ ଭୋକ ମେଂଟୁଛି, ନା ରାଜ୍ୟ ବାହାରେ। ଘରେ ଏବଂ ବାହାରେ କେମିତି ଗରିବ ଶ୍ରମିକ ଭୋକ ରେ ଆଉଟ ପାଉଟୁ ହେଉଛନ୍ତି ତାର ଦୁଇଟି ବିକଳ ଚିତ୍ର ଅନୁଗୁଳ ଜିଲ୍ଲାରେ ଦେଖିବାକୁ ମିଳିଛି।

ବାହାର ରାଜ୍ୟରେ ଏପ୍ରକାର ପରିସ୍ଥିତିକୁ ସାମ୍ନା କରୁଥିବା ଶ୍ରମିକମାନେ ହେଉଛନ୍ତି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଂଚାୟତ ମହିଧରପୁର ଗାଁର ପ୍ରାୟ ୧୯ଜଣ ଯୁବକ ପେଟ ପାଟଣା ପାଇଁ ଗୁଜୁରାଟ ରାଜ୍ୟ ଅହମଦାବାଦକୁ ଯାଇଥିଲେ। ଏକ ଷ୍ଟିଲ କାରଖାନାରେ ଖଟୁଥିଲେ। ଲକ ଡାଉନ ପାଇଁ ହଠାତ କାରଖାନା ବନ୍ଦ ହୋଇଗଲା। ଘରକୁ ଫେରିବା ବାଟ ବନ୍ଦ ହୋଇଗଲା। ମାଲିକ କିଛି ପାଉଣା ଦେଇ ବିଦା କଲେ। ସେତକରେ ପ୍ରାୟ କିଛି ଦିନ ଚଳି ଗଲୁ। ଆସନ୍ତା ୧୪ତାରିଖରେ ଲକ ଡାଉନ ଖୋଲିବ ବୋଲି ଭାବି ଘର ମୁହାଁ ହୋଇଥିଲୁ। କିନ୍ତୁ, ଲକ ଡାଉନ ସମୟ ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି। ହାତରେ ଆଉ ଖାଦ୍ୟ ସାମଗ୍ରୀ ନାହିଁ। ଆମେ ବାହାର ରାଜ୍ୟରେ କେମିତି ଚଳିବୁ ବୋଲି ମହିଧରପୁର ଶ୍ରମିକ ନବ କୁମାର ସାହୁ ଫୋନରେ ସମ୍ବାଦ କୁ ଦୁଃଖ ବଖଣିଛନ୍ତି।

ସ୍ଥାନୀୟ ସରକାର ଟିକେ ସହଯୋଗ କରିବେ ବୋଲି ଆଶା ନେଇ ଆମେ ସ୍ଥାନୀୟ ଥାନାକୁ ଗୁହାରି କରିବାକୁ ଯାଇଥିଲୁ। ଆମ ଠାରୁ ଫୋନ ନମ୍ବର ନେଇ ତା ପରଦିନ ଖାଇବାକୁ ଡ଼ାକିଥିଲେ। ରାନ୍ଧଖାଦ୍ୟ ଦେଇଥିଲେ। କିନ୍ତୁ, ତା ପରଦିନ ଆଉ ଶୁଣିଲେ ନାହିଁ। ଯେତେ ଫୋନ କଲେ ବି ଆମ ଭୋକିଲା ପେଟ କଥା କେହି ବୁଝୁ ନାହାନ୍ତି ବୋଲି ଶ୍ରୀ ସାହୁ ନିଜ ଦୁଃଖ ବଖାଣି ଛନ୍ତି। ଗାଁ ପିଲାମାନେ ପଞ୍ଚାୟତକୁ ଫୋନ କରି ନିଜ ଦୁଃଖ ଜଣାଇଛନ୍ତି ବୋଲି ଆମ୍ବସରମୁଣ୍ଡା ସରପଞ୍ଚ ମହେଶ୍ୱର ଦେହୁରୀ କହିଛନ୍ତି। ଆମେ ସେମାନଙ୍କ ପାଖକୁ କିଛି ଟଙ୍କା ପଠାଇବାକୁ ଯୋଜନା କରୁଛୁ। ଶ୍ରମିକଙ୍କ ଏକାଉଣ୍ଟ ନମ୍ବର ନ ଥୁବାରୁ ତାଙ୍କ ଭଡାଘର ମାଲିକଙ୍କ ଏକାଉଣ୍ଟ ନମ୍ବର ଆଣିଛୁ। ଏ ସମ୍ପର୍କରେ ବିଧାୟକଙ୍କୁ ମଧ୍ୟ ଅବଗତ କରାଇଛୁ। ପ୍ରଶାସନ ପକ୍ଷରୁ ଅନ୍ତତଃ ସେମାନଙ୍କ ଖାଦ୍ୟ ବ୍ୟବସ୍ଥା ଟିକେ କରାଇବାକୁ ସେ ଅନୁରୋଧ କରିଛନ୍ତି।

ଓଡ଼ିଶା ଭିତରେ ଭୋକର ଜ୍ୱାଳା ସହ୍ୟ କରୁଥିବା ଶ୍ରମିକମାନେ ହେଉଛନ୍ତି ତାଳଚେର ବ୍ଲକ ସାଉଥ ବଲଣ୍ଡା ନିକଟସ୍ଥ କନଭେୟର ମୁଣ୍ଡା ହଟିଙ୍ଗର। ପ୍ରାୟ ୪୦ଟି ପରିବାରର ୭୨ଟି ଜୀବନ ସେଠି ଭୋକିଲା ଅଛି। ସୂତ୍ର ମୁତାବକ, ଏହି ଲୋକେ ମୂଲ ମଜୁରୀ କରି ପେଟ ପୋଷୁଥିଲେ। ଲକ ଡାଉନ ପରଠାରୁ ସବୁ ମୂଲ ବନ୍ଦ। ଯାହା କିଛି ଟଙ୍କା ପଇସା ଥିଲା ସେଥିରେ କିଛି ଦିନ ଗୁଜୁରାଣ ମେଣ୍ଟିଲା। ଏବେ ଉପାସ । ପ୍ରଶାସନ ହୃଦୟ ରେ ଟିକେ ଦୟା ଅସୁନି। ଲୋକଙ୍କର କୌଣସି କାର୍ଡ ନାହିଁ। ତେଣୁ, ସରକାରୀ ରାସନରୁ ବଂଚିତ ଅଛନ୍ତି। ପ୍ରଶାସନ ଏମାନଙ୍କ ପ୍ରତି ନିଦାବିଷ୍ଣୁ ସାଜି ଥିବା ବେଳେ କିଛି ସ୍ବେଚ୍ଛାସେବୀଙ୍କ ସୁ ଦୃଷ୍ଟି ବସ୍ତି ଉପରେ ପଡିଛି। ଆଜି ଦୁଷ୍ମନ୍ତ ବେହେରା, ସୁବାସ ପାଳ, ସନତ ନଳିନୀ ରାୟ, ଶୈଳବାଳା ମିଶ୍ର, ରେଣୁବାଲା ସାହୁ, ସୁଲୋଚନା ସାହୁ, ବିନୋଦ ଲାଲ ପ୍ରମୁଖ ହଟିଂ କୁ ଯାଇ ଦୁଇ ଦିନର ଚାଉଳ, ଡାଲି, ଆଳୁ ଦେଇଛନ୍ତି। ହଟିଂ ବାସୀଙ୍କ ପାଇଁ ଦୁଇ ଦିନର ଖାଦ୍ୟ ସିନା ମିଳି ଗଲା। ଆସନ୍ତା ୩୦ତାରିଖ ଯାଏ ସେମାନେ କେମିତି ବଞ୍ଚିବେ ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର