ଭଂଜନଗର: ଆନ୍ତଃ ଜିଲ୍ଲା ବାଇକ ଚୋରି ରାକେଟ ଠାବ କରିଛି ଗଂଜାମ ଜିଲ୍ଲାର ଭଂଜନଗର ପୁଲିସ । ୧୯ ଟି ଚୋରି ଗାଡ଼ି ଜବତ କରିବା ସହ ୭ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଭଞ୍ଜନଗର ଥାନା କେସ ନମ୍ବର ୪୮୫ ମାମଲାର ତଦନ୍ତ କରି ପୁଲିସ ଏଭଳି ସଫଳତା ପାଇଥିବା ଜଣାପଡିଛି। ଗତ ପାର୍ବଣ ସମୟରେ ଗଞ୍ଜାମ ଜିଲ୍ଲା ସମେତ କନ୍ଧମାଳ ଓ ରାୟଗଡା ଜିଲ୍ଲାରୁ ବହୁ ବାଇକ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ପୁଲିସ ବାଇକ ଚୋରଙ୍କୁ କାବୁ କରିବାରେ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ପାରିନଥିଲା। ଗତ ୩ ତାରିଖରେ ଭଞ୍ଜନଗର ଥାନା ଅଧୀନ ବେଲଗୁଣ୍ଠା ରୋଡ଼ ଝାଙ୍କରେଇ ମନ୍ଦିର ନିକଟରୁ ବାଇକ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଦୁଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିଲା। ଏହାପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରି ଭଂଜନଗର ପୁଲିସ ସହ ବେଲଗୁଣ୍ଠା ଓ ବୁଗୁଡା ଥାନାର ବଛା ବଛା ଅଧିକାରୀଙ୍କୁ ନେଇ ଏକ ଟିମ ବିଭିନ୍ନ ସ୍ଥାନରେ ଚଢଉ କରି ୧୯ଟି ମୋଟର ସାଇକେଲ ଉଦ୍ଧାର କରିବା ସହ ୭ଜଣ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Advertisment

publive-image

ଅଭିଯୁକ୍ତ ମାନେ ବିଭିନ୍ନ ଇଲାକାରୁ ଗାଡ଼ି ଚୋରି କରିବା ପରେ ବୁଗୁଡ଼ା ଓ ଭଂଜନଗର ଅଞ୍ଚଳରେ କିଛି ଗେରେଜ ମାଲିକଙ୍କୁ ଏହା ବିକ୍ରି କରି ଦେଉଥିଲେ। ସେହି ଦିଗରେ ପୁଲିସ ତଦନ୍ତ କରି ଗାଡି ଚୋରି ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଥିବା ବେଳେ ପାଞ୍ଚ ଜଣ ଚୋରି ଗାଡି କିଣିକା ଅଭିଯୋଗରେ ଗିରଫ କରାଯାଇଥିବା ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାନଙ୍କ ଠାରୁ ୧୭ ଗୋଟି ବାଇକ, ୨ଟି ସ୍କୁଟି ଜବତ ହୋଇଥିବା ବେଳେ ସେଗୁଡିକ ଭଂଜନଗର, ବେଲଗୁଣ୍ଠା, ବୁଗୁଡା, ବ୍ରହ୍ମପୁର ବଡ ବଜାର ଥାନା, କନ୍ଧମାଳ ଜିଲ୍ଲାର ରାଇକିଆ ଥାନା, ସାରଙ୍ଗଗଡ଼ ଥାନା, ସୋନପୁର ଏବଂ ରାୟଗଡା ଜିଲ୍ଲାର ଚୋରି ଗାଡ଼ି ରହିଥିବା ଉପଖଣ୍ଡ ପୁଲିସ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। ଏହି ବାଇକ ଚୋରି ଘଟଣାରେ ଅନ୍ୟ କିଛି ଅଭିଯୁକ୍ତ ରହିଥିବା ବେଳେ ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ସେ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଭଂଜନଗର ଥାନା ଅଧିକାରୀ ସୁଦୀପ କୁମାର ସାହୁ, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ, ବୁଗୁଡା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା, ବାଲିପଦର ଫାଣ୍ଡି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଏସ୍ଆ‌ଇ କେଶର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।