ବରଗଡ଼ : ଜଣେ ଛାତ୍ରଙ୍କ କଲେଜ୍‌କୁ ଲକ୍‌ଡାଉନ୍‌ କରିବା ଜିଦ୍‌ ଯୋଗୁଁ ୧୯ଜଣ ଛାତ୍ରଙ୍କ ଜୀବନ ବାଜିରେ ଲାଗିଛି। ଏଭଳି ଏକ ଅଭାବନୀୟ ଘଟଣା ଭଟଲି ବ୍ଲକ୍‌ କମ୍‌ଗାଁ କନିଷ୍ଠ ମହାବିଦ୍ୟାଳୟରେ ଘଟିଛି। ନାବାଳକ ଛାତ୍ର ଜଣକ ଏଥିପାଇଁ ପାଣି ବୋତଲରେ କିଛି କୀଟନାଶକ ମିଶାଇଥିଲା । ଏହାକୁ ପିଇ ଅନ୍ୟ ଛାତ୍ରମାନେ ଅସୁସ୍ଥ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭର୍ତ୍ତି ହୋଇଛନ୍ତି । ସମସ୍ତେ ସୁସ୍ଥ ଥିବାବେଳେ ୭୨ ଘଣ୍ଟା ପରେ ଡାକ୍ତରଖାନାରୁ ଛଡ଼ାଯିବ ବୋଲି ଜଣାପଡ଼ିଛି ।

Advertisment

ସୂଚନା ଅନୁସାରେ ବୁଧବାର ଅପରାହ୍‌ଣରେ ଏହି ଘଟଣା ଘଟିଥିଲା। ଜଣେ ଛାତ୍ର ହଷ୍ଟେଲରେ ପାଣି ବୋତଲରେ କୀଟନାଶକ ଭଳି ଦ୍ରବ୍ୟ ମିଶାଇ ଅନ୍ୟ ଛାତ୍ରମାନଙ୍କୁ ପିଇବାକୁ ଦେଇଥିଲେ। ୧୯ଜଣ ଛାତ୍ର ଏହା ପିଇଥିଲେ। ପ୍ରଥମେ ଦୁଇଜଣ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ପରେ ରାତି ୯ଟା ବେଳେ ଅନ୍ୟ ୧୭ଜଣ ଛାତ୍ରଙ୍କୁ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି ।

ପ୍ରତ୍ୟକ୍ଷଦର୍ଶୀ ଛାତ୍ରମାନଙ୍କ କହିବା ଅନୁସାରେ, ସଂପୃକ୍ତ ଛାତ୍ର ଜଣକ ଗତ ୬ ତାରିଖ ଘରୁ ହଷ୍ଟେଲକୁ ଆସିଥିଲା। ଆଗାମୀ ୧୯ ତାରିଖରୁ ପୁଣି କରୋନା ପାଇଁ ଲକ୍‌ଡାଉନ୍‌ ଏବଂ କଲେଜ୍‌ ବନ୍ଦ ହେବ ବୋଲି ସେ ସୋସିଆଲ୍‌ ମିଡିଆରେ ଦେଖିଲା। କିନ୍ତୁ ଏହା ମିଥ୍ୟା ଖବର ଜାଣିବା ପରେ ସେ ବ୍ୟତିବ୍ୟସ୍ତ ହୋଇଯାଇଥିଲା । କୌଣସି ହିସାବରେ ସେ କଲେଜ୍‌କୁ ଲକ୍‌ଡାଉନ୍‌ କରିବ ବୋଲି ଛାତ୍ରମାନଙ୍କୁ କହି ବୁଲୁଥିଲା। ଏହା ପରେ ସେ ପାଣିରେ କୀଟନାଶକ ଭଳି ପଦାର୍ଥ ମିଶାଇ ଅନ୍ୟ ଛାତ୍ରଙ୍କୁ ଦେଇଥିବା ଜଣାପଡ଼ିଛି। ଖବର ପାଇ ଉପଜିଲ୍ଲାପାଳ, ବିଡିଓ ଏବଂ ସରପଞ୍ଚ କଲେଜ୍‌କୁ ଯାଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ସଂପୃକ୍ତ ଛାତ୍ରକୁ ଘରକୁ ପଠାଯାଇଥିବା କଲେଜ୍‌ କର୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ।