ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଲକଡାଉନ ସମୟରେ ଅପରାଧ ହାର ବହୁ ପରିମାଣରେ କମିଛି । ଜିଲ୍ଲାରେ ୧୮୬ଟି ମାମଲା ଏ ପର୍ଯ୍ୟନ୍ତ ରୁଜୁ ହୋଇଛି । ଏଥି ମଧ୍ୟରୁ ମଦ ଚଢ଼ାଉ ନେଇ ୬୭ ଟି ମାମଲା ଓ ଲକଡାଉନ ନିୟମ ଉଲ୍ଲଂଘନ ନେଇ ୫୩ ଟି ମାମଲା ରୁଜ୍ଜୁ ହୋଇଥିବା ପୁଲିସ ପକ୍ଷରୁ ପ୍ରକାଶ । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାରେ ଲକଡାଉନ କୁ ମାସେ ପୁରିଥିବା ବେଳେ ଏପର୍ଯ୍ୟନ୍ତ ୧୮୬ ଟି ମାମଲା ରୁଜୁ ହୋଇଛି ।

Advertisment

ପୁଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୮୯.୪ ଲିଟର ଦେଶୀ ମଦ, ୪୯୦.୫ ଲିଟର ହାତରନ୍ଧା ମଦ, ୩୩୫.୩୯ ଲିଟର ବିଦେଶୀ ମଦ ଜବତ କରାଯାଇଛି ।ଏ ନେଇଁ ୭୩ ଜଣଙ୍କ ବିରୋଧରେ ୬୭ ଟି ମାମଲା ରୁଜୁ ହୋଇଥିବା ବେଳେ ୧୨ ଟି ଗାଡ଼ି ଜବତ ହୋଇଛି । ଲକଡାଉନ ନିୟମ ଉଲ୍ଲଂଘନ କରି ୯୧ ଜଣଙ୍କ ବିରୋଧରେ ୫୩ ଟି ମାମଲା ରୁଜୁ ହୋଇଛି। ସେମାନଙ୍କ ଠାରୁ ୬୫ ଟି ବାଇକ ଜବତ ହୋଇଛି। ଜିଲ୍ଲାରେ ଗୋଟିଏ ଧର୍ଷଣ ଜନିତ ମାମଲା ହୋଇଥିବା ବେଳେ ୪ ଜଣ ଗିରଫ ହୋଇଛନ୍ତି ।

୨ଟି ହତ୍ୟାକାଣ୍ଡ ମାମଲାରେ ୨ ଜଣ ଗିରଫ ହୋଇଛନ୍ତି । ୯ଟି ଘରୋଇ ହିଂସା ମାମଲା ରେ ୧୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସେହିଭଳି ଲକଡାଉନ ସମୟରେ ୧୦ ଟି ଦୁର୍ଘଟଣା ମାମଲା ରୁଜୁ ହୋଇଛି। ଅନ୍ୟାନ୍ୟ ୪୩ ଟି ମାମଲାରେ ୮୧ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଜିଲ୍ଲାରେ ୧୯୬ ଟି ମାମଲାରେ ୨୬୫ ଜଣଙ୍କ ବିରୋଧରେ ମୋକଦ୍ଦମା ଦାୟର ହୋଇଥିବା ବେଳେ ୭୭ ଟି ଯାନବାହନ ଜବତ ହୋଇଛି। ଇ-ଚାଲାଣରେ ୫୬୩ ଟି ମାମଲା ରୁଜୁ ହୋଇ ୪ଲକ୍ଷ ୯୮ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏ ପର୍ଯ୍ୟନ୍ତ ଲକଡାଉନ ସମୟରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଓ ମୁହଁରେ ତୁଣ୍ଡି ଲଗେଇନଥିବା ଲୋକଙ୍କ ବିରୋଧରେ ଗୋଟିଏ ମଧ୍ୟ ମାମଲା ରୁଜୁ ହୋଇନାହିଁ । କଳାହାଣ୍ଡି ଜିଲ୍ଲାରେ ଲକଡାଉନ ସମୟରେ ଅପରାଧ ହାର କମିଥିବା ବେଳେ ଗୋଟିଏ ଧର୍ଷଣ ୨ଟି ହତ୍ୟାକାଣ୍ଡ ଓ ୧୦ ଟି ଛୋଟ ଦୁର୍ଘଟଣା ମାମଲା ରୁଜୁ ହୋଇଛି। ଅନ୍ୟ ସମୟରେ ଏହି ମାମଲା ଅଧିକ ବୃଦ୍ଧି ପାଇଥାଏ।