ରାଉରକେଲା : ରବିବାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏକ ବିରଳ ଦୃଶ୍ୟ ପରିଲକ୍ଷିତ ହୋଇଥିଲା। ୧୯୭୫ ମସିହାରେ ହକି ବିଶ୍ବକପ୍ ଜିତିଥିବା ଭାରତୀୟ ଦଳର ସଦସ୍ୟମାନେ ରାଉରକେଲାରେ ପହଞ୍ଚିଥିଲେ। ଏହି ବିଶ୍ବ ବିଜେତା ଦଳର ଏକାଧିକ ସଦସ୍ୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏକତ୍ରିତ ହୋଇ ଭାରତ-ଇଂଲଣ୍ଡ ମ୍ୟାଚ୍କୁ ଉପଭୋଗ କରିଥିଲେ। ଏହି ଅବସରରେ ସମସ୍ତ ପୂର୍ବତନ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ମ୍ୟାଚ୍ ଶେଷ ହେବାପରେ ଏହି ପୂର୍ବତନ ଖେଳାଳିମାନେ ପଡ଼ିଆ ଭିତରକୁ ଯାଇ ଫଟୋ ଉଠାଇଥିଲେ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ସାଧାରଣ ସମ୍ପାଦକ ଭୋଳାନାଥ ସିଂହ, ଲାଜରୁସ ବାର୍ଲା ପ୍ରମୁଖ ଉପସ୍ଥିତ ଥିଲେ।
ଦୁଲୁକିଲା ଷ୍ଟାଡିୟମ
ଉଦ୍ଘାଟନୀ ମ୍ୟାଚ୍ ଭଳି ଆଜି ତୃତୀୟ ଦିନରେ ବି ଦର୍ଶକଙ୍କ ଉପସ୍ଥିତି ଯୋଗୁଁ ପୂରି ଉଠିଥିଲା ବିର୍ସା ମୁଣ୍ଡା ଷ୍ଟାଡିୟମ। ସ୍ପେନ୍-ୱେଲ୍ସ ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ଦର୍ଶକଙ୍କ ଭିଡ଼ ଜମିଥିଲା। ଭାରତ ମ୍ୟାଚ୍ ଆରମ୍ଭ ହେବାର ପ୍ରାୟ ଘଣ୍ଟାଏ ପୂର୍ବରୁ ଷ୍ଟାଡିୟମର ପ୍ରାୟ ୨୧ ହଜାର ସିଟ୍ରେ ବସି ସାରିଥିଲେ ଦର୍ଶକ। ତେବେ ବହୁ ଦର୍ଶକ ଛିଡ଼ା ହୋଇ ମଧ୍ୟ ମ୍ୟାଚ୍କୁ ଉପଭୋଗ କରିଥିଲେ। ଆଜିର ମ୍ୟାଚ୍ ବେଳେ ଏକାଧିକ ଲୋମଟାଙ୍କୁରା ମୂହୁର୍ତ୍ତ ଦେଖିବାକୁ ମିଳିଥିଲା। ୨୧ ହଜାରରୁ ଅଧିକ ଦର୍ଶକ ସମବେତ କଣ୍ଠରେ ଜାତୀୟ ସଙ୍ଗୀତ ଗାନ କରିବା ସହ ଭାରତୀୟ ଖେଳାଳିଙ୍କ ପାଖକୁ ବଲ୍ ଯିବାମାତ୍ରେ ସମତାଳରେ ସମର୍ଥନ ଜଣାଇବାର ଦୃଶ୍ୟ, ସମସ୍ତଙ୍କୁ ବିମୋହିତ କରିଥିଲା।
‘ଓଲି ଲ୍ୟାଣ୍ଡ୍’ ଏବେ ସେଲ୍ଫି କର୍ଣ୍ଣର
ଷ୍ଟାଡିୟମ ପରିସରରେ ‘ଓଲି ଲ୍ୟାଣ୍ଡ୍’ ସ୍ଥାପନ କରାଯାଇଛି। ମ୍ୟାଚ୍ ଦିନ କେବଳ ଟିକେଟଧାରୀ ଦର୍ଶକ ଓଲି ଲ୍ୟାଣ୍ଡ୍ର ମଜା ନେଉଥିବା ବେଳେ ଅନ୍ୟ ଦିନ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଉଛି। ମ୍ୟାଚ୍ ଦିନ କିନ୍ତୁ ଓଲି ଲ୍ୟାଣ୍ଡ୍ରେ ସବୁ ବୟସବର୍ଗର ଦର୍ଶକଙ୍କ ଭିଡ଼ ଜମୁଛି। ସୁସଜ୍ଜିତ ଆଲୋକମାଳାରେ ଝଲସୁଥିବା ବିଶ୍ବକପ୍ ପ୍ରତିକୃତି, ହକି ଷ୍ଟିକ୍ରେ ତିଆରି ପ୍ରବେଶ ଦ୍ବାର, ହୃଦୟ ଆକୃତିର ଫ୍ରେମ୍ ତଳେ ଲମ୍ବା ଧାଡ଼ି ଲଗାଇ ଜଣେ ପରେ ଜଣେ ସେଲ୍ଫି ନେଉଥିବା ଦେଖିବାକୁ ମିଳୁଛି। ଏଠାରେ କେବଳ ଭାରୀତୟ ପ୍ରଶଂସକ ନୁହନ୍ତି; ବରଂ ବିଦେଶୀ ଦର୍ଶକ ମଧ୍ୟ ପହଞ୍ଚି ସେଲ୍ଫି ନେଉଛନ୍ତି।