କୋରାପୁଟ: କୋୟା ଜନଜାତିର ଟେକ ରଖିଛନ୍ତି କୋରାପୁଟ ସହରର ଉମାଶଙ୍କର କୋୟା । କୋରାପୁଟ ଷ୍ଟାଡିୟମ ନିକଟରେ ରହୁଥିବା ଉମାଶଙ୍କର କୋୟା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଓଏଏସ ପରୀକ୍ଷାରେ ୧୨୭ତମ ସ୍ଥାନ ଅଧିକାର କରିଛନ୍ତି । ଆଦିବାସୀ ଅଧୁଷ୍ୟିତ ପରିବାରଙ୍କ ଉନ୍ନତି କରିବା ସହ ସରକାରଙ୍କ ବିକାଶକୁ କିପରି ତ୍ୱରାନ୍ୱିତ କରିହେବ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଥିବା କହିଛନ୍ତି । ପ୍ରଥମ ଦ୍ୱିତୀୟ ପ୍ରୟାସରେ ସେ ଅକୃତକାର୍ଯ୍ୟ ହୋଇଥିବା ବେଳେ ଚଳିତବର୍ଷ ସେ ଏହି ସଫଳତା ପାଇଛନ୍ତି । ଖାଲି ଓପିଏସସି ନୁହେଁ ୟୁପିଏସସି ପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରୁଛନ୍ତି । ଯଦି ଭଗବାନ ଚାହାଁନ୍ତି ତେବେ ସେଥିରେ ମଧ୍ୟ ସଫଳତା ମିଳିବ ବୋଲି ସେ କହିଛନ୍ତି ।
ପିତା ଲକ୍ଷ୍ମଣ କୋୟା ଓ ମା ଅନିତାଙ୍କ ସୁପୁତ୍ର । ଆଜି ସେ ଭୁବନେଶ୍ୱରରୁ କୋରାପୁଟ ଆସିବା ପରେ ପରିବାରବର୍ଗ ଓ ସାଥିମାନେ ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଛନ୍ତି । ପିତା ଲକ୍ଷ୍ମଣ କୋୟା କୋରାପୁଟ ଅମଲାକୁଟୀର ରୋଡରେ ଏକ ସାଇକେଲ ମରାମତି ଦୋକାନ କରି ନିଜର ପରିବାର ଭରଣପୋଷଣ କରି ଉମାଙ୍କୁ ଏହି ସଫଳତା ଦେଇଛନ୍ତି । ଦୀର୍ଘ ବର୍ଷର ପରିଶ୍ରମର ମୂଲ୍ୟ ଭାବେ ପୁଅ ଏହି ସଫଳତା ପାଇଥିବାରୁ ସେ ବହୁତ ଖୁସି ପ୍ରକଟ କରିଛନ୍ତି । କୋରାପୁଟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷା ଆରମ୍ଭ କରି ଦଶମ ଶ୍ରେଣୀ ପାସ କରିବା ପରେ ଉମାଶଙ୍କର କୋରାପୁଟର ଟାଲେଂଟ କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ । ପରେ ବ୍ରହ୍ମପୁର ନିଷ୍ଟରେ ଇଲେକ୍ଟ୍ରିକାଲ ବିଟେକ ପାସ କରିବା ପରେ ଛତିଶଗଡର ଏକ କମ୍ପାନୀରେ ୧ବର୍ଷ ଚାକିରି କରିଥିଲେ ।
କିନ୍ତୁ ଓଏଏସ ପାଇଁ ପ୍ରସ୍ତୁତି ଚଳାଇବା ପାଇଁ ଚାକିରି ଛାଡି ଓଏଏସ ପରୀକ୍ଷା ନିମନ୍ତେ ଭୁବନେଶ୍ୱରରେ କୋଚିଂ ନେଇଥିଲେ । କଠିନ ପରିଶ୍ରମ ସହ ଦୃଢ ଆତ୍ମବିଶ୍ୱାସ ହିଁ ତାଙ୍କ ସଫଳତାର ମୂଳଉତ୍ସ ବୋଲି ଉମାଶଙ୍କର କହିଛନ୍ତି । ଅସଫଳତାକୁ ଡରି କିମ୍ବା ନର୍ଭସ ନହୋଇ ସଫଳତାର ପାହାଚ ଚଢିବା ପାଇଁ ଉଦ୍ୟମ ଜାରି ରଖିଲେ ସବୁ ଅସମ୍ଭବ ସମ୍ଭବ ହୋଇ ପାରିବ ବୋଲି ସେ କହିଛନ୍ତି । ସଫଳତାର ଶ୍ରେୟ ସେ ନିଜର ବାପା, ମା, ମାଁମୁ, ମାଇଁ, ଶିକ୍ଷକ, ଶିକ୍ଷୟତ୍ରୀ ଓ ସହପାଠୀମାନଙ୍କୁ ଦେଇଛନ୍ତି । ଆଗକୁ ଆଇଏଏସ ପାଇଁ ସେ ପ୍ରସ୍ତୁତି ଚଳାଇବେ ବୋଲି କହିଛନ୍ତି ।