ଗଞ୍ଜାମ ଚାଷୀଙ୍କୁ ପ୍ରତାରଣା, ପଞ୍ଜୀକରଣ ଭେଳିକି: ୪ ବର୍ଷରେ ୨.୨ଲକ୍ଷ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣାହୋଇନି

ପ୍ରତିବର୍ଷ ବାଦ ପଡ଼ୁଛନ୍ତି ୪୫ ପ୍ରତିଶତ ପଞ୍ଜୀକୃତ ଚାଷୀ

ବ୍ରହ୍ମପୁର(ପ୍ରଦୀପ କିଶୋର ସାହୁ): ଚାଷୀଙ୍କୁ ତାର ଫସଲ ଉଚିତ ମୂଲ୍ୟ ଦେବା ନିମନ୍ତେ ସରକାର ଚାଷୀଙ୍କ ଠାରୁ ଧାନ କ୍ରୟ କରୁଛନ୍ତି। ସରକାରଙ୍କୁ ଧାନ ବିକ୍ରି କରିବାକୁ ଚାହୁଁଥିବା ଚାଷୀଙ୍କୁ ମଧ୍ୟ ପଞ୍ଜୀକରଣ କରିବାକୁ ପଡ଼ୁଛି। ହେଲେ ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଧାନ କିଣୁନାହାନ୍ତି ସରକାର। ଫଳରେ ସରକାରଙ୍କୁ ଧାନ ବିକ୍ରି କରିବାକୁ ଆଶା ରଖୃଥିବା ଚାଷୀରେ ଶେଷରେ ନିରାଶ ହେବା ସହ ଅଭାବୀ ବିକ୍ରି ଶିକାର ହେଉଛି। ଏଭଳି ପ୍ରତିବର୍ଷ ଗଞ୍ଜାମ ଜିଲ୍ଲାର ଚାଷୀ ସହ ସରକାର ଖେଳୁଥିବା ପଦାକୁ ଆସିଛି। ଚାଷୀ ପଞ୍ଜୀକରଣ ବ୍ୟବସ୍ଥା ପ୍ରହସନ ପାଲଟିଛି। ପ୍ରତିବର୍ଷ ଜିଲ୍ଲାରେ ପଞ୍ଜୀକରଣ କରୁଥିବା ଚାଷୀଙ୍କ ମଧ୍ୟରୁ ୪୫ ପ୍ରତିଶତ ଚାଷୀଙ୍କ ଧାନ କିଣୁନାହାନ୍ତି। ଗତ ୪ ବର୍ଷ ମଧ୍ୟରେ ଧାନ ବିକ୍ରି କରିବା ଲାଗି ୪ଲକ୍ଷ ୭୮ ୫୪୨ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ସରକାର ୨ଲକ୍ଷ ୫୮ହଜାର ୩୯୬ଜଣ ଚାଷୀଙ୍କ ଧାନ କିଣିଛନ୍ତି। ପଞ୍ଜୀକରଣ କରିଥିବା ଜିଲ୍ଲାର ୨ଲକ୍ଷ ୨୦ହଜାର ୧୪୬ଜଣ ଚାଷୀଙ୍କ ଠାରୁ ଧାନ କିଣି ନ ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅର୍ନ୍ତଗତ ଯୋଗାଣ ନିଗମ ପକ୍ଷରୁ ପ୍ରତିବର୍ଷ ଚାଷୀଙ୍କ ଠାରୁ ଧାନ କିଣାଯାଉଛି। ନିଗମ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ), ପାଣି ପଞ୍ଚାୟତ, ମହିଳା ସ୍ବୟ ସହାୟକ ଗୋଷ୍ଠୀ ଆଦି ଜରିଆରେ ଚାଷୀଙ୍କ ଠାରୁ ଧାନ ସ˚ଗ୍ରହ କରୁଛି। ଧାନ ସ˚ଗ୍ରହ ବ୍ୟବସ୍ଥାକୁ ସ୍ବଚ୍ଛ ଓ ସରଳ କରିବା ଲାଗି ୨୦୧୨-୧୩ ମସିହାରୁ ସରକାର ଚାଷୀ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଏଥିସହ ୨୦୧୬-୧୭ ମସିହାରୁ ଧାନକିଣାକୁ ସମ୍ପୂର୍ଣ୍ଣ ଅନ୍‌ଲାଇନ(ପି-ପାସ) କରିଛନ୍ତି। ସରକାର ଚାଷୀଙ୍କୁ ଉଚିତ ମୂଲ୍ୟ ଦେବା ଲାଗି ଧାନ କିଣିଥିବା କହୁଥିବା ବେଳେ ବାସ୍ତବତା ଭିନ୍ନ।

୨୦୧୬-୧୭ ମସିହାରେ ଗଞ୍ଜାମ ଜିଲ୍ଲାରେ ଧାନ ବିକ୍ରି କରିବା ଲାଗି ୧ଲକ୍ଷ ୩ହଜାର ୫୫୧ଜଣ ଚାଷୀ ପଞ୍ଜୀକରଣ କରିଥିଲେ। କିନ୍ତୁ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାର ମାତ୍ର ୬୦ ହଜାର ୪୧୪ ଜଣ ଚାଷୀଙ୍କ ଠାରୁ ୩୪୫୯୧୬୧.୫୭ କ୍ବିଣ୍ଟାଲ ଧାନ କିଣାଯାଇଥିଲା। ଜିଲ୍ଲାର ୪୩ହଜାର ୧୩୭ଜଣ ଚାଷୀଙ୍କ ଠାରୁ ଧାନ କିଣା ଯାଇ ନ ଥିଲା। ସେହିପରି ୨୦୧୭-୧୮ରେ ୧ଲକ୍ଷ ୧୧ହଜାର ୭୯୫ଜଣ ଚାଷୀ ପଞ୍ଜୀକରଣ କରିଥିବା ବେଳେ ମାତ୍ର ୫୭ହଜାର ୫୮୦ଜଣ ଚାଷୀଙ୍କ ଠାରୁ ୨୭୩୪୮୩୭.୪୨କ୍ବିଣ୍ଟାଲ ଧାନ କିଣାଯାଇଥିଲା। ସେହି ବର୍ଷ ଜିଲ୍ଲାର ୫୪ହଜାର ୨୧୫ଜଣ ଚାଷୀଙ୍କ ଠାରୁ ଧାନ କିଣା ଯାଇ ନ ଥିଲା। ସେହିପରି ୨୦୧୮-୧୯ରେ ୧ଲକ୍ଷ ୨୮ହଜାର ୭ଶହ ଚାଷୀ ପଞ୍ଜୀକରଣ କରିଥିବା ବେଳେ ମାତ୍ର ୬୦ହଜାର ୨୪୭ଜଣ ଚାଷୀଙ୍କ ଠାରୁ ୩୭୦୩୭୭୯.୨୧ କ୍ବିଣ୍ଟାଲ ଧାନ କିଣାଯାଇଥିଲା। ୬୮ହଜାର ୪୫୩ ଜଣ ଚାଷୀଙ୍କ ଠାରୁ ଧାନ କିଣା ଯାଇ ନ ଥିଲା। ଗତ ବର୍ଷ ଅର୍ଥାତ ୨୦୧୯-୨୦ରେ ୧ ଲକ୍ଷ ୩୪ ହଜାର ୪୯୬ଜଣ ଚାଷୀ ପଞ୍ଜୀକରଣ କରିଥିଲେ। ଗତବର୍ଷ ପ୍ରଥମ ଥର ପାଇଁ ଟୋକେନ୍‌ ବ୍ୟବସ୍ଥା ଆରମ୍ଭ ହେଲା। ମାର୍ଚ୍ଚ ୩୧ ଯାଏଁ ଧାନ ସ˚ଗ୍ରହ ହେବ ବୋଲି ଘୋଷଣା ହୋଇଥିଲା। କିନ୍ତୁ ମାର୍ଚ୍ଚ ୨୭ତାରିଖ ମଧ୍ୟ ରାତ୍ରୀରୁ ହଠାତ୍‌ ଧାନ କିଣାକୁ ବନ୍ଦ କରାଯାଇଥିଲା। ଟୋକେନ୍‌ ଥାଇ ବି ଚାଷୀ ଧାନ ବିକ୍ରି କାରିପାିଲେ ନାହିଁ। ନିଗମ ପକ୍ଷରୁ ୮୦ହଜାର ୧୫୫ଜଣ ଚାଷୀଙ୍କ ଠାରୁ ୩୭୪୨୨୩୧.୨୦ କ୍ବିଣ୍ଟାଲ ଧାନ କିଣା ଯାଇଥିଲା। ୫୪ହଜାର ୩୪୧ଜଣ ଚାଷୀଙ୍କ ଠାରୁ ଧାନ କିଣାଯାଇ ନ ଥିଲା। ଏହାକୁ ନେଇ ରୂଷିକୂଲ୍ୟା ରୟତ୍ତ ମହାସଭା ମଧ୍ୟ ହାଇକୋର୍ଟଙ୍କ ଦ୍ବାରାସ୍ଥ ହୋଇଥିଲେ। ଏ ଦିଗରେ ପଦକ୍ଷେପ ନେବାକୁ ହାଇକୋର୍ଟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଉ ଧାନ କିଣାଯାଇ ନ ଥିଲା।

ସରକାରଙ୍କ ଏଭଳି ନୀତି ଯୋଗୁ ପ୍ରତିବର୍ଷ ଜିଲ୍ଲାର ଚାଷୀ ମାନେ ଅଭାବୀ ବିକ୍ରିର ଶୀକାର ହେଉଛନ୍ତି। ସମବାୟ ବିଭାଗ ଚାଷୀ ଡାକି ପଞ୍ଜୀକରଣ କରୁଛି। ଯୋଗାଣ ବିଭାଗ ଚାଷୀଙ୍କ ଠାରୁ ଧାନ କିଣୁନାହିଁ। ମିଲର ଓ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟ ରହୁନି। ମିଲର ଠିକଣା ସମୟରେ ଧାନ ଉଠାଉ ନାହାନ୍ତି। ମିଲର ସିକ୍ୟୁରିଟି ଦେଉ ନ ଥିବାରୁ ଯୋଗାଣ ବିଭାଗ ସାସ୍‌ ଓ ମାସ୍‌ ଠିକଣା ସମୟରେ ଦେଉ ନାହିଁ। ଏଥି ଯୋଗୁଁ ଧାନ କିଣାଯାଇପାରୁନାହିଁ। ଅନ୍ୟପକ୍ଷରେ ଜିଲ୍ଲାକୁ ମିଳିଥିବା ଟାର୍ଗେଟ ପୁରଣ ହୋଇଯିବା ପରେ ପଞ୍ଜୀକୃତ ଚାଷୀଙ୍କ ଠାରୁ ଧାନ କିଣାଯାଉନାହିଁ। ଏହାକୁ ନେଇ ଜିଲ୍ଲାରେ ଚାଷୀ ଆନ୍ଦୋଳନ ଦାନା ବାନ୍ଧୁଛି। ଏଥିସହ ଆଗାମୀ ଦିନରେ ଜିଲ୍ଲାରେ ଧାନ କିଣାରେ ଅସହଯୋଗ କରିବାକୁ ସୋସାଇଟି ମାନେ ବି ଅଣ୍ଟା ଭିଡ଼ୁଥିବାଜଣାପଡ଼ୁଛି।

ପ୍ରକାଶ ଥାଉ କି, ଗଞ୍ଜାମ ଜିଲ୍ଲାରେ ୪ଲକ୍ଷ ୩୪ହଜାର ହେକ୍ଟର ଚାଷପୋଯୋଗୀ ଜମି ରହିଛି। ସେଥି ମଧ୍ୟରୁ ପ୍ରତିବର୍ଷ ଖରିଫ ଋତୁରେ ୪ଲକ୍ଷ ୬ହଜାର ଜମିରେ ଚାଷ ହେଉଛି। ଏଥି ମଧ୍ୟରେ ୨ଲକ୍ଷ ୮୦ ହଜାର ୩୧୨ ହେକ୍ଟର ଜମି ଜଳସେଚିତ। ଏହି ଜିଲାରେ ୩ଲକ୍ଷ ୨୨ହଜାର ୬୬୦ ଚାଷୀ ପରିବାର ରହିଥିବା ବେଳେ ୫ ଲକ୍ଷ ୪ହଜାର ୮୦୬ କୃଷି ଉପରେ ନିର୍ଭରଶୀଳ ଶ୍ରମିକ ରହିଛନ୍ତି। କିନ୍ତୁ ଉପଯୁକ୍ତ ମଜୁରୀ ନ ମିଳିବାରୁ ଏବ˚ ଅଧୃକ ଅର୍ଥ ଅନ୍ବେଷଣ ଆଶାରେ କୃଷି ଶ୍ରମିକ ମାନେ ଭିଟାମାଟି ରାଜ୍ୟ ବାହାରକୁ କାମ ଧନ୍ଦା ଅନ୍ବେଷଣରେ ଯାଉଛନ୍ତି। ବିଶେଷ କରି ଅଧୃକା˚ଶ କୃଷି ଶ୍ରମିକ ସୁରଟ ଯାଉଛନ୍ତି।

ସମ୍ବନ୍ଧିତ ଖବର