ଗ୍ରାମ୍ୟ ପାନୀୟ ଜଳ‌ଯୋଗାଣ ଦୁର୍ନୀତି; ଟେବୁଲ ଟେଣ୍ଡରରେ ଠିକାଦାରଙ୍କୁ ଟେକିଦେଲେ ୨.୩୪ କୋଟି

ସୁନ୍ଦରଗଡ଼: ଆଦିବାସୀ ଅଧ୍ୟୁସିତ ସୁନ୍ଦରଗଡ଼ ଜିଲ୍ଲା ରାଜ୍ୟରେ ସବୁଠାରୁ ପଛୁଆ। ଏହାର ବିକାଶ ପାଇଁ ବହୁବିଧ ଯୋଜନା କାର୍ଯ୍ୟକାରୀ ହେଉଛି, ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ଜିଲ୍ଲାର ଚେହେରା ଅପରିବର୍ତ୍ତିତ, ମଳିନ। ଅଭିଯୋଗ ହେଉଛି ପ୍ରାଶାସନିକ ଉଦାସୀନତା, ଅବହେଳା ସହ କାର୍ଯ୍ୟ ସମ୍ପାଦନ ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତି, ଅନିୟମିତତା ଓ ଠିକା ସର୍ବସ୍ବ ମନୋବୃତ୍ତି ହିଁ ଜିଲ୍ଲାକୁ ପଛୁଆ କରି ରଖିଛି। ଏହା ମଧ୍ୟରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ, ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମ, ଜିଲ୍ଲା ଯୋଗାଣ ବିଭାଗ, ଆଇଟିଡିଏ ପରେ ଏବେ ଜିଲ୍ଲାର ପଞ୍ଚାୟତିରାଜ ଓ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଦୁର୍ନୀତି ଚର୍ଚ୍ଚାକୁ ଆସିଛି।

ଓମବାଡସିର ୩୧୨ କୋଟି ବ୍ୟୟରେ ଜିଲ୍ଲାର ହେମଗିର, ଲେଫ୍ରିପଡ଼ାର ୧୧ ପଞ୍ଚାୟତ, କୁତ୍ରା ଓ ରାଜଗାଙ୍ଗପୁର ବ୍ଲକର ୭ଟି ପଞ୍ଚାୟତରେ ଆରମ୍ଭ ହୋଇଥିବା ମେଗା ପାନୀୟ ଜଳ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ ଆସିଥିଲା। ବିନା ତଦାରଖରେ ଠିକା ସଂସ୍ଥାର ମନମର୍ଜିରେ ସମ୍ପାଦିକ କାମରେ ଆଖି ବୁଜି କୋଟି କୋଟି ଟଙ୍କାର ବିଲ୍‌ କରି ଦିଆଯାଉଥିବା ପ୍ରକାଶ ପାଇଛି। ଏବେ ବିଭାଗର ଆଉ ଏକ ବଡ଼ ଦୁର୍ନୀତି ସାମ୍ନାକୁ ଆସିଛି। ବିଧିବଦ୍ଧ ଭାବେ ଟେଣ୍ଡର ନଡାକି ଟେବୁଲ ଟେଣ୍ଡର ଜରିଆରେ ବିବେକ ଅଗ୍ରୱାଲ ନାମକ ଜଣେ ତୃତୀୟ ଶ୍ରେଣୀ ସାଧାରଣବର୍ଗର ଠିକାଦାରଙ୍କୁ ୨ କୋଟି ୩୪ ଲକ୍ଷ ଟଙ୍କାର କାମ ଦିଆଯାଇଛି।

ଟେଣ୍ଡର ଏଡ଼ାଇବାକୁ ଅତି ଚତୁରତାର ସହ ୫ ଲକ୍ଷରୁ କମ ଅଟକ‌ଳରେ ପ୍ରକଳ୍ପ ପ୍ରସ୍ତୁତ କରି ଠିକାଦାରଙ୍କୁ ୨୦୧୭-୧୮ରୁ ୨୦୨୧-୨୦୨୨ ମଧ୍ୟରେ ପ୍ରାୟ ୬୯ଟି ପ୍ରକଳ୍ପ କାମ ଯୋଗାଇ ଦିଆଯାଇଛି। କେବଳ ୨୦୨୦-୨୧ ଓ ୨୦୨୧-୨୨ ମାର୍ଚ୍ଚ ମଧ୍ୟରେ କୋଟିଏ ଟଙ୍କାର ନିର୍ମାଣ ବା ମରାମତି କାମ କରିଛନ୍ତି ଠିକାଦାର। ସେଥିରେ ପାନୀୟ ଜଳ ପ୍ରକଳ୍ପର ମରାମତି, ନିର୍ମାଣ ଆଦି ରହିଛି। ତେବେ ଜଣେ ତୃତୀୟ ଶ୍ରେଣୀ ଠିକାଦାରଙ୍କୁ କିପରି କୋଟି କୋଟି ଟଙ୍କାର କାମ ଦିଆଗଲା, ୨ ବର୍ଷ ମଧ୍ୟରେ ବ୍ୟୟ ହୋଇଥିବା କୋଟିଏ ଟଙ୍କାର କାମ ପାଇଁ ଟେଣ୍ଡର ନଡାକି ଟେବୁଲ ଟେଣ୍ଡର କରାଗଲା କାହିଁକି, ତାକୁ ନେଇ ଉଠିଛି ପ୍ରଶ୍ନ। ଜଣେ ଠିକାଦାର ଏତେ ଟଙ୍କାର କାମ କରିଥିବା ବେଳେ ତାର ମାନ କେମିତି ଥିବା ତାହା ସହଜ‌େ ଅନୁମେୟ। ଏହା ପଛରେ ବିଭାଗୀୟ ଅଧିକାରୀଙ୍କ ଭୂମିକା ସନ୍ଦେହ ଘେରକୁ ଚାଲି ଆସିଛି। ତେବେ ବିଭାଗର ଦୁର୍ନୀତି ବା ଅନିୟମିତତା ଜଣେ ଠିକାଦାର ପାଖରେ ସୀମିତ ନୁହେଁ, ଏହା ଆହୁରି ଅନେକ ଠିକାଦାର, ଅନେକ ପ୍ରକଳ୍ପ ଯାଏ ଲମ୍ବି ରହିଛି। ଜିଲ୍ଲାପାଳ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର