ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଅଢେଇ ଲକ୍ଷ ଟଙ୍କା

ଢେଙ୍କାନାଳ: ଢେଙ୍କାନାଳରେ ପୁଣି ମାତିଲେ ଲୁଟେରା ଗ୍ୟାଙ୍ଗ । ଦିବାଲୋକରେ ଜଣେ ବେସରକାରୀ କମ୍ପାନୀ କର୍ମଚାରୀଙ୍କ ନିକଟରୁ ଲୁଟିଲେ ଲକ୍ଷାଧିକ ଟଙ୍କା । ଏକାସାଙ୍ଗେ ଚାରି ଜଣ ଲୁଟେରା ଏକ ବୋଲେରୋରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟି ନେଇଗଲେ ଲକ୍ଷାଧିକ ଟଙ୍କା। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୁଲିସ ସୂଚନା ଅନୁସାରେ, ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ସ୍ଥିତ ନରଭେରମ କମ୍ପାନୀ କର୍ମଚାରୀ ରାଜେନ୍ଦ୍ର ସେଠୀ ଭୁବନେଶ୍ୱର ସ୍ଥିତ କମ୍ପାନୀରୁ ଟଙ୍କା ପେମେଣ୍ଟ ପାଇଁ ଶନିବାର ଆଣି ଘରେ ରଖିଥିଲେ | ଆଜି ପୂର୍ବାହ୍ନ ୧୦.୧୫ ସମୟରେ ନିଜ ବାଇକରେ ଟଙ୍କା ଭର୍ତ୍ତି ବ୍ୟାଗ ଧରି କମ୍ପାନୀକୁ ଯାଉଥିଲେ।

କମ୍ପାନୀଠାରୁ ୧୦୦ ମିଟର ପୂର୍ବରୁ ୪ ଜଣ ଲୁଟେରା ଏକ ବୋଲେରୋ ଯୋଗେ ଆସି ତାଙ୍କୁ ଅଟକାଇଥିଲେ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଟଙ୍କା ବ୍ୟାଗ ଛଡେଇ ନେଇଥିଲେ । ତେବେ ବ୍ୟାଗରେ ଅଢେଇ ଲକ୍ଷ ଟଙ୍କା ରହିଥିବା ନେଇ ସୂଚନା ମିଳିଛି । ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି ବୋଲି ଥାନା ଅଧିକାରୀ ଅଭିନଵ ଡ଼ାଳୁଆ କହିଛନ୍ତି |

ସମ୍ବନ୍ଧିତ ଖବର