ଟିକା ନେଲେଣି ୨ ଲକ୍ଷ ୭୭ ହଜାର ୮୪୮, ଧିମେଇଯାଇଛି ଦ୍ଵିତୀୟ ଡୋଜ୍ ଟିକାକରଣ

ରାଉରକେଲା: ଜିଲ୍ଲାରେ ସଂକ୍ରମଣ ରୋକିବା ତଥା ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ଏକାଧିକ ପଦକ୍ଷେପ ନିଆଯାଉଛି। ଅପରପକ୍ଷରେ ଟିକାକରଣଙ୍କୁ ମଧ୍ୟ ବ୍ୟାପକ କରାଯାଇଛି। ଗତ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣ ପ୍ରକ୍ରିୟା ପୂର୍ବରୁ ଧିମେଇ ଯାଇଥିବାବେଳେ ଏବେ ବେଗ ଧରିଛି। ଅବଶ୍ୟ, କିଛି ଦିନ ପୂର୍ବେ ଟିକାର ଅଭାବ ଯୋଗୁଁ ଜିଲ୍ଲାରେ ଟିକାଦାନ କରାଯାଇପାରିନଥିଲା। ଏମିତିକି କିଛି ଦିନ ପାଇଁ ଟିକାକରଣ ବନ୍ଦ ରହିଥିଲା। ତେବେ, ସ୍ଥିତିରେ ଏବେ ପରିବର୍ତ୍ତନ ଆସିଛି। ଗତ ୧୧ ତାରିଖ ସୁଦ୍ଧା ଜିଲ୍ଲାରେ ୨ ଲକ୍ଷ ୭୭ ହଜାର ୮୪୮ ଟିକା ଦିଆଯାଇଛି।

ଜିଲ୍ଲାରେ ଗତ ୧୬ ତାରିଖରୁ ଟିକା ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଥମେ ଡାକ୍ତର, ନର୍ସ, ଆଶାକର୍ମୀ ଆଦି ସ୍ବାସ୍ଥ୍ୟକର୍ମୀମାନଙ୍କୁ ଟିକା ଦିଆଯାଇଥିଲା। ପରେ ପର୍ଯ୍ୟାୟକ୍ରମେ ସମ୍ମୁଖ ଯୋଦ୍ଧା, ବରିଷ୍ଠ ନାଗରିକ, ୪୪ରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଦିଆଯାଇଥିଲା। ଏଯାଏଁ ଦିଆଯାଇଥିବା ମୋଟ୍ ଟିକା ମଧ୍ୟରୁ ୨ ଲକ୍ଷ ୨୮ ହଜାର ୬୨୯ ଜଣ ପ୍ରଥମ ଡୋଜ୍ ନେଇଛନ୍ତି। ସେହିଭଳି ୪୯ ହଜାର ୨୧୯ ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଟିକାର ଅଭାବ ଯୋଗୁଁ ପ୍ରଥମ ଡୋଜ୍ ତୁଳନାରେ ଦ୍ବିତୀୟ ଡୋଜ୍ ଟିକାକରଣ ପ୍ରକ୍ରିୟାରେ ଶିଥିଳତା ଦେଖାଦେଇଛି। ଏବେ କିନ୍ତୁ ଦ୍ବିତୀୟ ଡୋଜ୍କୁ ପ୍ରାଧାନ୍ୟ ଦିଆଯାଉଛି।

ରାଉରକେଲା ସହରାଞ୍ଚଳରେ ସଂକ୍ରମଣକୁ ଦୃଷ୍ଟିରେ ରଖି ୧୮ ବର୍ଷରୁ ୪୪ ବର୍ଷୟୀ ଯୁବକଙ୍କୁ ମଧ୍ୟ ଟିକାକରଣ ଆରମ୍ଭ ହୋଇଯାଇଛି। ଗତ ୧୧ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ସୁଦ୍ଧା, ଏହି ବର୍ଗର ୭,୭୦୧ ଜଣ ଟିକା ନେଇଛନ୍ତି। ଗତ ୧୧ ତାରିଖରେ, ପ୍ରଥମ ଦିନରେ ୩,୮୦୮ ଜଣ ଟିକା ନେଇଥିବାବେଳେ ଦ୍ବିତୀୟ ଦିନ, ଅର୍ଥାତ୍ ୧୩ ତାରିଖରେ ୩,୨୬୩ ଜଣ ଟିକା ନେଇଥିଲେ। ସୂଚନାଯୋଗ୍ୟ, ଏହି ବର୍ଗର ବ୍ୟକ୍ତିଙ୍କ ପାଇଁ ସହରରେ ୮ଟି କେନ୍ଦ୍ର ସ୍ଥାପନ କରାଯାଇ ପ୍ରତ୍ୟେକ ମଙ୍ଗଲବାର, ଗୁରୁବାର ଓ ଶନିବାର ଦିନ ଟିକାଦିଆଯାଉଛି।

ସମ୍ବନ୍ଧିତ ଖବର