ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅଞ୍ଚଳରେ ଶୀତଳଭଣ୍ଡାର କରିଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ୮୯ ହଜାର ଟଙ୍କା ଠକି ନେଇଛନ୍ତି ସାଇବର ଲୁଟେରା। ଏନେଇ ଠକେଇର ଶିକାର ହୋଇଥିବା ଲୋକେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

Advertisment

ପାଟଣା ଥାନା କଟାବେଡ଼ା ଗ୍ରାମର ଦୁର୍ଗା ଚରଣ ମହାନ୍ତ ଓ ଅନ୍ୟ ଚାରିଜଣଙ୍କ ବଗିଚାରେ ଭଲ ପରିବା ଚାଷ ହୋଇଥିବା ଜାଣି ସାଇବର ଲୁଟେରାମାନେ ସେମାନଙ୍କୁ ଶୀତଳଭଣ୍ଡାର କରିବାକୁ ଫୋନ୍‌ କରି ପ୍ରବର୍ତ୍ତାଇଥିଲେ। ଶୀତଳଭଣ୍ଡାର ପାଇଁ ସବ୍‌ସିଡି ଦିଆଯିବ ବୋଲି ଲୋଭ ଦେଖାଇଥିଲେ। ଏଥିପାଇଁ ପ୍ରଥମେ ୨ ଲକ୍ଷ ୮୯ ହଜାର ଟଙ୍କା ଜମା କରିବାକୁ ପଡ଼ିବ ବୋଲି କହିଥିଲେ। ସାଇବର ଲୁଟେରାଙ୍କ କଥାରେ ବିଶ୍ବାସ କରି ସମ୍ପୃକ୍ତ ବ୍ୟକ୍ତିମାନେ ଫୋନ୍‌ ପେ ଜରିଆରେ ଟଙ୍କା ଦେଇଥିଲେ। ଟଙ୍କା ପାଇବା ପରେ ସାଇବର ଲୁଟେରାର ଧରାଛୁଆଁ ଦେଇନଥିଲା। ଶେଷରେ ଟଙ୍କା ବୁଡ଼ିଯିବା ଆଶଙ୍କାରେ ସମ୍ପୃକ୍ତ ବ୍ୟକ୍ତିମାନେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। କେସ୍‌ ନମ୍ବର ୧୨୩/୨୩ରେ ଏକ ମାମଲା ରୁଜୂ ହୋଇଛି। ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ମନୋରମା ସ୍ୱାଇଁ ପ୍ରକାଶ କରିଛନ୍ତି।