ଖୋର୍ଦ୍ଧା: ଗତକାଲି ରାତିରେ ଜଙ୍କିଆ ପୁଲିସର ଏକ ଟିମ୍ ହଜ ଗାଁର ଏକ ଘରେ ଚଢ଼ଉ କରି ୧୩ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛନ୍ତି। ଗତକାଲି ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ହଜ ଗାଁ ଶାଗୁଆନ ବଗିଚା ଅନ୍ତର୍ଗତ ଏକ ଆଜବେଷ୍ଟସ ଘରେ ବ୍ରାଉନସୁଗାର କାରବାର ହେଉଥିବା ସୂଚନା ମିଳିଥିଲା। ଖୋର୍ଦ୍ଧା ଏସ୍ଡିପିଓ ଦିଲିପ କୁମାର ଦାସ ଓ ଜଙ୍କିଆ ଥାନା ଅଧିକାରୀ ପ୍ରଜ୍ଞା କରଙ୍କ ତତ୍ବାବଧାନରେ ଏଏସ୍ଆଇ ଅଭୟ କୁମାର ରାଉତ, ଭଗବାନ ନାୟକ, ପ୍ରମୋଦ କୁମାର ଦଳାଇ ଓଅନ୍ୟ ପୁଲିସ କର୍ମଚାରୀଙ୍କୁ ନେଇଏକ ଟିମ୍ ସନ୍ଦିଗ୍ଧ ସ୍ଥାନରେ ଚଢ଼ଉ କରିଥିଲେ।
ଚଢ଼ଉରେ ଖୋର୍ଦ୍ଧା ଗୁରୁଜଙ୍ଗର ନନ୍ଦ କିଶୋର ସାହୁ (୨୩), ହଜ ପାଇକ ସାହିର ନିରଞ୍ଜନ ପଲେଇ (୪୩) ଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୨.୫୭ ଗ୍ରାମ ବ୍ରାଉନସୁଗାର ଓ ଏକ ବଜାଜ ମୋଟର ସାଇକଲ (ଓଡି ୦୨ବିଜେଡ୍ ୨୬୮୩) ଜବତ କରାଯାଇଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ଲକ୍ଷ ୩୦ ହଜାର ଟଙ୍କା ହେବ। ଏନେଇ ପୁଲିସ ୨୮୨/୨୦୨୩ରେ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି। ପୁଲିସ ଠାରୁ ମିଳିଥିବା ସୂଚନାରେ ଗିରଫ ନନ୍ଦ କିଶୋର ବିରୋଧରେ ଖୋର୍ଦ୍ଧା ଟାଉନ ଥାନାରେ ପୂର୍ବରୁ ଗୋଟିଏ ଅପରାଧିକ ମାମଲା ରହିଛି।
୨୦୨୨ ମଇ ମାସରେ ବ୍ରାଉନସୁଗାର କାରବାରରେ ଧରାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁଜଙ୍ଗ ଠାରେ ନିର୍ମାଣ କରାଯାଇଥିବା ବେଆଇନ ଗୃହକୁ ଦଖଲ କରାଯାଇଥିଲା। ବର୍ତ୍ତମାନ ନନ୍ଦ କିଶୋର ଖୋର୍ଦ୍ଧା ଟିଏଲ୍ସି ପଡ଼ିଆ ନିକଟ ମଙ୍ଗଳାନଗର-୪ରେ ରହୁଛି। ସେହିଭଳି ନିରଞ୍ଜନ ନାମରେ ମଧ୍ୟ ଜଙ୍କିଆ ଥାନାରେ ୨୦୨୨ ଅଗଷ୍ଟ ମାସରେ ଏକ ଅପରାଧିକ ମାମଲା ରହିଛି।