ରାୟଗଡା: ଭାଗ ବଣ୍ଟା ହେଉଥିଲା କୁଟୁରା ମାଂସ। ହେଲେ ଖବର ପାଇ ମାଡି ବସିଲା ରାୟଗଡା ବନ ବିଭାଗ। ଘଟଣାସ୍ଥଳରୁ ୩ କିଲୋ କୁଟୁରା ମାଂସ ଜବତ ସହ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହେଲା ବନ ବିଭାଗ। ଆଉ ଗିରଫ ୨ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ସଂଜୟ ଦାସ ପ୍ରକାଶ କରିଛନ୍ତି। ବିଶେଷ ସୂତ୍ରରୁ ଖବର ମିଳିଥିଲା ଯେ ରାୟଗଡା ବନାଞ୍ଚଳ ଅଧିନସ୍ଥ ରାୟଗଡା ସରଂକ୍ଷିତ ଜଙ୍ଗଲରୁ ଏକ କୁଟୁରାକୁ ମାରି ମାଣିକଝୋଲ ଗାଁ ନିକଟରେ ଉକ୍ତ କୁଟୁରା ମାଂସ ଭାଗ ବଣ୍ଟା ଚାଲିଥିଲା।

Advertisment

ଏ ନେଇ ରାୟଗଡା ବନାଞ୍ଚଳ ଅଧିକାରୀ ଡେପୁଟି ରେଞ୍ଜର ସଞ୍ଜୟ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଗୌରୀଶଙ୍କର ସାହୁ, ବନରକ୍ଷୀ ସନ୍ତୋଷ ପାଣିଗ୍ରାହୀଙ୍କ ସମେତ ପାରାଷ୍ଟାଫ, ଗାର୍ଡମାନେ ଘଟଣାସ୍ଥଳରେ ପହଂଚିଥିଲେ। ବନ ବିଭାଗ ଅଧିକାରୀଙ୍କୁ ଦେଖି ଅନ୍ୟମାନେ ଧାଇଁ ପଳାଇଥିବା ବେଳେ ପିତାମହଲର ମାଧ ଉଲାକା(୩୫) ଏବଂ ମାଣିକଝୋଲା ଗ୍ରାମର ବିଶ୍ୱମ୍ବର ଉର୍ଲାକା(୪୩) ୩ କିଲୋ କୁଟୁରା ମାଂସ ସହ ଧରା ପଡ଼ିଥିଲେ। ଅଭିଯୁକ୍ତମାନେ କୁଟୁରା ମାଂସକୁ କେଜି ପିଛା ୧୦୦୦ ରୁ ୧୨୦୦ ଟଙ୍କା ମଧ୍ୟରେ ବିକ୍ରି କରିଥାନ୍ତେ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ମାଂସକୁ ଜବତ କରାଯିବା ପରେ ଏହାର ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯାଇଥିବା ବନାଞ୍ଚଳ ଅଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଧରିବା ପାଇଁ ତଦନ୍ତ ଚାଲିଥିବା ସେ କହିଛନ୍ତି।