କନ୍ଧମାଳରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ନେଟୱାର୍କର ୨ ସଦସ୍ୟ ଗିରଫ, ୩୬ କିଲୋଗ୍ରାମ ଗଞ୍ଜେଇ ଜବତ

ଖୋର୍ଦ୍ଧା: କନ୍ଧମାଳରୁ ଭୁବନେଶ୍ୱର ଗଂଜେଇ ଚାଲାଣ କୌଣସି ବ୍ୟକ୍ତିଗତ କାରବାର ନୁହେଁ । ଏହି କାରବାର ଏବେ ବ୍ରାଉନ୍ସୁଗାର ଭଳି ସଂଗଠିତ ହେବାରେ ଲାଗିଛି । ଚାଲାଣକାରୀ ବର୍ତ୍ତମାନ ଚାଲାଣର ନୂଆ ବାଟ ବାହାର କରିଥିବା ବେଳେ ଏଥିରେ ଅନେକ ପୁଂଜି ମଧ୍ୟ ବିନିଯୋଗ କରାଯାଉଛି । ଗତକାଲି ରାତିରେ ଖୋର୍ଦ୍ଧା ପୁଲିସର ଏକ ଟିମ୍ ୨ଜଣ ଗଂଜେଇ ଚାଲାଣକାରୀଙ୍କୁ ଧରିବା ପରେ ଏହି କଥା ଜଣାପଡ଼ିଛି । ଖୋର୍ଦ୍ଧା ଗ୍ରାମାଂଚଳର ଏସପି ରାଜକିଶୋର ଦୋରା କହିଛନ୍ତି ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସମ୍ପର୍କରେ ଅନେକ ସୂଚନା ମିଳିଛି । ଆଜି ଘଟଣା ସମ୍ପର୍କରେ ସୂଚନା ଦେଇ ଏସପି ଶ୍ରୀ ଦୋରା କହିଥିଲେ ଯେ ଏକ କାରରେ ନୟାଗଡ଼ ରାସ୍ତାଦେଇ କନ୍ଧମାଳରୁ ଭୁବନେଶ୍ୱର ଗଞ୍ଜେଇ ଚାଲାଣ ହେଉଥିବା ନେଇ ସୂଚନା ମିଳିଥିଲା ।

ଗତକାଲି ରାତି ଅପରାହ୍ଣ ପ୍ରାୟ ୬ଟା ବେଳେ ପୂର୍ବସୂଚନା ପାଇଁ ମୁକୁନ୍ଦପ୍ରସାଦ-ଜଟଣୀ ରାସ୍ତାରେ ଟାଉନ୍ ଥାନା ଅଧିକାରୀ ସଂଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଏସ୍ଆଇ ରଶ୍ମୀ ରଂଜନ ଦାଶ, ଏସ୍ଆଇ ବିକେ ବେହେରା, ଏସ୍ଆଇ ଦିଗବିଜୟ ବିଶ୍ୱାଳ, ହାବିଲଦାର ବିକେ ପ୍ରତାପସିଂହ ଓ ଅନ୍ୟ ପୁଲିସ କର୍ମଚାରୀଙ୍କ ଏକ ଟିମ୍ ଅପେକ୍ଷା କରି ରହିଥିଲେ । ସୂଚନା ମିଳିଥିବା କାର୍ ପହଂଚିବା କ୍ଷଣି କାରଟିକୁ ଅଟକାଇଥିଲେ ।

କାର୍ (ଓଆର୍୦୨ଏଡି୮୮୩୩) ମଧ୍ୟରୁ ଦୁଇଟି ବସ୍ତାରେ ୩୬.୫୦୦କିଲୋଗ୍ରାମ ଗଞ୍ଜେଇ ମିଳିଥିଲା । ଏହି ଘଟଣାରେ କାରରେ ଥିବା ଦିଲିପ ଓ ମିଥୁନ ଦିଗାଲଙ୍କୁ ଗିରଫ କରାଯାଇଥିଲା । ଏହା ସହ ଏହି ଗଞ୍ଜେଇ ଭୁବନେଶ୍ୱରର କାହାକୁ ଦିଆଯାଉଥିଲା ଓ କିଏ ଯୋଗାଉଥିଲା, ସେହି ତଥ୍ୟ ମଧ୍ୟ ଜଣାପଡ଼ିଛି । ଏହି ଘଟଣାରେ ଚାଲାଣକାରୀଙ୍କଠାରୁ ଦୁଇଟି ମୋବାଇଲ୍ ଜବତ ହୋଇଛି, ମୋବାଇଲର ନମ୍ବରକୁ ଟ୍ରାକିଂ କରାଯାଉଛି ବୋଲି ଏସପି କହିଛନ୍ତି ।

ସମ୍ବନ୍ଧିତ ଖବର