ବାରିପଦା: ବାରିପଦା ଟାଉନ୍ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଠକେଇ ଘଟଣା। ଜଣେ ଯବକ ଏକ ଦାମୀ ମୋବାଇଲ ଅର୍ଡର କରିଥିଲେ। ସମ୍ପୃକ୍ତ କମ୍ପାନୀ କୋରିୟର ଯୋଗେ ମୋବାଇଲ ପଠାଇଥିଲେ। ମାତ୍ର ଯେଉଁ କୋରିୟର କମ୍ପାନି ଦ୍ୱାରା ଏହି ମୋବାଇଲ ଆସିଥିଲା ତାର ଦୁଇଜଣ କର୍ମଚାରୀ ଚଞ୍ଚକତା କରି ସେହି କୋରିୟର ପ୍ୟାକ୍ ମଧ୍ୟରୁ ଦାମି ମୋବାଇଲଟିକୁ କାଢ଼ି ନେଇ ତା ସ୍ଥାନରେ ରଖିଦେଇଥିଲେ ଏକ ସିନ୍ଥଲ ସାବୁନ। ତେବେ କୋରିୟର ଡେଲିଭରି ପରେ ଠକିଯାଇଥିବା ଜାଣି ସମ୍ପୃକ୍ତ ଯୁବକ ବାରିପଦା ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ କୋରିୟର କମ୍ପାନିର ଏହି ଦୁଇ କର୍ମଚାରୀଙ୍କ ଠାରୁ ମୋବାଇଲ ଫୋନ୍ ସହିତ ଲାପ୍ଟପ, ନଗଦ ୫ହଜାର ଟଙ୍କା ଓ ୪ଟି ଏଟିଏମ କାର୍ଡ ଜବତ କରିବା ସହିତ ସେମାନଙ୍କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଟାଉନ ଥାନାରେ ଅଭିଯୋଗ କରିଥିବା ଭୀମସେନ ମହାନ୍ତ କହିଛନ୍ତି ଯେ ସେ ଏକ ୯ହଜାର ଟଙ୍କିଆ ମୋବାଇଲ ଏକ କମ୍ପାନିରୁ ମଗାଇଥିଲେ। ସମ୍ପୃକ୍ତ କମ୍ପାନି ଏହି ମୋବାଇଲଟିକୁ ଡେଲିଭରି ଡଟ୍ କମ୍ ନାମକ ଏକ କୋରିୟର ଦ୍ୱାରା ପଠାଇଥିଲେ। ଗତ ୧୯ ତାରିଖ ଦିନ କୋରିୟରର ଡେଲିଭରି ବୟ ପ୍ରକାଶ ନାୟକ ତାଙ୍କୁ ମୋବାଇଲ୍ ଥିବା ପ୍ୟାକ୍ଟି ଦେଇ ୯ ହଜାର ଟଙ୍କା ନେଇଥିଲେ। ତେବେ ପ୍ୟାକ୍ଟି ଖୋଲିବାରୁ ସେଥିରେ ଏକ ପୁରୁଣା ମୋବାଇଲ ଓ ଏକ ସିନ୍ଥଲ ସାବୁନ ଥିବା ଦେଖିଥିଲେ । ଏ ନେଇ ଶ୍ରୀ ମହାନ୍ତ ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ ତଦନ୍ତ କରି ଡେଲିଭରି ବୟ ଶ୍ରୀ ନାୟକ ଓ କୋରିୟର ସଂସ୍ଥାର ମ୍ୟାନେଜର ଅଭି ବେହେରାଙ୍କୁ ଗିରଫ କରି ପଚରା ଉଚରା କରିବା ସହିତ ସେମାନଙ୍କ ଠାରୁ ୪ଟି ମୋବାଇଲ ଫୋନ, ୫ ହଜାର ଟଙ୍କା, ଲାପଟପ୍ ଓ ୪ଟି ଏଟିଏମ କାର୍ଡ ଜବତ କରିଛି।