ଟିପର ଚାପାରେ ୨ ବାଇକ ଆରୋହୀ ମୃତ୍ୟୁ ମାମଲା: ଶବ ବ୍ୟବଚ୍ଛେଦ କରି ପରିବାରବର୍ଗକୁ ହସ୍ତାନ୍ତର

ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ସଂପୃକ୍ତଙ୍କ ବିରୋଧରେ  ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ-ଏସଡିପିଓ

ଜୟପୁର: ଗତ କାଲି  ସଂଧ୍ୟା ୬ଟା ବେଳେ  ଭିଜିଲାନସ୍ କାର୍ଯ୍ୟାଳୟ ସମ୍ମୁଖରେ ଟିପର ଚାପାରେ ୨ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ତ୍ୟକ୍ତ ଲୋକେ ଟିପରଟିକୁ ନିଆଁ ଲଗାଇ ଦେଇଥିଲେ। ଚାଳକ ଦୁର୍ଘଟଣା ପରେ ଫେରାର ହୋଇ ଯାଇଥିବା ବେଳେ ହେଲପର ଉତ୍ତ୍ୟକ୍ତ ଲୋକଙ୍କ ହାବୁଡ଼ରେ ପଡ଼ିଯିବା ପରେ ସେମାନେ ଖୁବ ମାଡ଼ ମାରିଥିଲେ।

କ୍ଷତିପୁରଣ ଦାବିରେ ୨୬ ନମ୍ବର ଜାତୀୟ ରାଜପଥକୁ ଉତ୍ତ୍ୟକ୍ତ ଲୋକେ ରାତି ସାଢ଼େ ୧୧ଟା ପର୍ଯ୍ୟନ୍ତ ଅବରୋଧ କରି ରଖିଥିଲେ। ଏସ୍ଡିପିଓ ଅରୁପ ଅଭିଶେଖ ବେହେରା, ଟାଉନ ଥାନା ଅଧିକାରୀ ବାଲେଶ୍ବର ଗିଦ୍ଧି, ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ଓ ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ, ଅତିରିକ୍ତ ତହସିଲଦାର ଅଶ୍ବିନୀ ମହାପାତ୍ର ଲୋକଙ୍କୁ ବହୁ ବୁଝାସୁଝା କରିଥିଲେ।

ଉଭୟ ମୃତଙ୍କ  ପରିବାରବର୍ଗକୁ  ଟ୍ରକ ମାଲିକ କ୍ଷତିପୁରଣ ପ୍ରଦାନ କରିଥିଲେ। ଏହା ସହ ରେଡକ୍ରସ ପକ୍ଷରୁ ଜଣକା ୧୦ହଜାର ଲେଖାଏଁ ଶେଷକୃତ୍ୟ ସଂପନ୍ନ କରିବା ପାଇଁ ଦିଆଯାଇଥିଲା। ତା’ ପରେ ରାସ୍ତାରୋକରୁ ଆନ୍ଦୋଳନକାରୀମାନେ ଓହରିଥିଲେ। ଗତ କାଲି ରାତିରେ କୋରାପୁଟ ମେଡିକାଲ କଲେଜକୁ ହେଲପର ଗଣେଶ ଖଡ୍ଡାକୁ ସ୍ଥାନାନ୍ତର କରାଯାଇଥିଲା। ହେଲଫରର ଅବସ୍ଥା ସ୍ଥିର ରହିଥିବା କହିଛନ୍ତି ଏସଡିପିଓ ଅରୁପ ଅଭିଶେଖ ବେହେରା।

ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ ପିଣ୍ଟୁ ଖରା ଓ ରାହୁଳ ନାୟକଙ୍କ ଶବର ବ୍ୟବଚ୍ଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିଲା। କୁନ୍ଦାରୀଗୁଡା ଓ ପାରାବେଡ଼ାରେ  ଶୋକର ଛାୟା ଖେଳି ଯାଇଥିଲା। ପୁଲିସ ଏ ନେଇ ଏକ ମାମଲା ରୁଜୁ କରିଛି। ଦୁର୍ଘଟଣା କିଭଳି ହେଲା, କାହା ଭୁଲ ଯୋଗୁଁ ହୋଇଛି, କିଏ ନିଆଁ ଲଗାଇଲା, କିଏ ହେଲଫରକୁ ମାଡ଼୍ ମାରିଥିଲା ଆଦିର ସିସିଟିଭି ଫୁଟେଜ ସଂଗ୍ରହ କରି ଏହାର ଯାଂଚ ଆରମ୍ଭ କରୁଥିବା କହିଛନ୍ତି ଏସଡିପିଓ।

ଏହାର ଅଧାରରେ ପୁଲିସ ଏହି ମାମଲା ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି ଏସଡିପିଓ। ହେଲଫର ଗଣେଶର ଅବସ୍ଥା ସ୍ଥିର ରହିଛି, କିଛି ଦିନ ସେ ଚିକିତ୍ସିତ ହେଲେ ସଂପୁର୍ଣ୍ଣ ସୁସ୍ଥ ହେବ ବୋଲି କହିଛନ୍ତି ଏସଡିପିଓ।

ସମ୍ବନ୍ଧିତ ଖବର