ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ଖୋଳଖାଳି ଗ୍ରାମରେ ଆଜି ପୋଖରୀରେ ବୁଡ଼ି ଦୁଇଭାଇଙ୍କ ମୃତ୍ୟୁ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତକମାନେ ହେଲେ ଉକ୍ତ ଗ୍ରାମର କରଣସାହିର ରଙ୍କନିଧି ଗୌଡ଼ଙ୍କ ପୁଅ ପୃଥ୍ବୀରାଜ (୧୨) ଓ ଅର୍ଜୁନ (୬)। ଦୁଇଭାଇ ମିଶି ଆଜି ଅପରାହ୍ଣ ୨ଟାରେ ଘରଠୁ କିଛି ଦୂରରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିଲେ।
କିନ୍ତୁ ବହୁ ସମୟ ଧରି ନଫେରିବାରୁ ପରିବାରବର୍ଗ ସେମାନଙ୍କୁ ଖୋଜାଖୋଜି କରି ନିରାଶ ହୋଇଥିଲେ। ପାଖାପାଖି ଅଢ଼େଇ ଘଣ୍ଟା ପରେ ଉଭୟଙ୍କୁ ପୋଖରୀରେ ଭାସୁଥିବା ଅବସ୍ଥାରେ ଦେଖି ଉଦ୍ଧାର କରି ବୁଗୁଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା। କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାର ହେବା କ୍ଷଣି ଡାକ୍ତରଖାନା ପରିବେଶ କାନ୍ଦବୋବାଳିରେ ଫାଟି ପଡ଼ିଥିଲା। ପୃଥ୍ବୀରାଜ ଷଷ୍ଠ ଓ ଅର୍ଜୁନ ପ୍ରଥମ ଶ୍ରେଣୀରେ ପଢ଼ୁଥିଲେ। ପୁଲିସ ଦୁଇଭାଇଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।