ଗଞ୍ଜାମ: ବନ୍ଧୁକ ମୁନରେ ୨ ବ୍ୟବସାୟୀ ଭାଇଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ୨ ଭାଇ ହେଲେ ଗଞ୍ଜାମ ଥାନା ଅଧୀନ ପୁଇଁତୋଳ ଗ୍ରାମର କୃଷ୍ଣଚନ୍ଦ୍ର ସାହୁ(୫୫) ଓ ପଞ୍ଚାନନ ସାହୁ(୫୨)। ଦୁଇ ଭାଇ ମିଶି ପୁଇଁତୋଳା ଛକରେ ଭେରାଇଟ୍ ଷ୍ଟୋର କରିଛନ୍ତି। ସବୁଦିନ ପରି ଉଭୟ ଆଜି ଦୋକାନରେ ଥିଲେ।
ରାତି ପ୍ରାୟ ୧୦. ୧୫ ବେଳକୁ ହଠାତ ଧଳା ଓ ନାଲି କାରରେ କିଛି ଦୁର୍ବୃତ୍ତ ତାଙ୍କ ଦୋକାନରେ ପହଞ୍ଚି ଉଭୟଙ୍କୁ ଧମକ ଚମକ ଦେବା ସହ ମୁଣ୍ଡରେ ବନ୍ଧୁକ ଲଗାଇ କାରରେ ବସାଇ ଭୁବନେଶ୍ବର ଆଡ଼କୁ ଚାଲିଯାଇଥିଲେ। ସୂଚନା ପାଇ ସ୍ଥାନୀୟ ଅନ୍ୟ ଦୋକାନୀ ମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଅନ୍ୟ ବ୍ୟବସାୟୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ପୁଲିସ ସେମାନଙ୍କୁ ବୁଝାସୁଝା କରୁଥିବା ବେଳେ ଅପହରଣର କାରଣ ଜଣାପଡ଼ିନାହିଁ।