ସମ୍ବଲପୁର: ଦୀର୍ଘ ୧ ମାସରୁ ଅଧିକ ସମୟ ସ୍ୱାମୀ ସ୍ତ୍ରୀକୁ ଖୋଜୁଛି, ଆଉ ଦୁଇ ପିଲା ମା’ର ଫେରିବା ବାଟକୁ ଚାହିଁ ରହିଛନ୍ତି । ମା’ କେଉଁଠି ଅଛି, କେମିତି ଅଛି, ସେମାନେ କିଛି ବି ଜାଣିନାହାନ୍ତି ।

Advertisment

କରୋନା ଦିନେ ଏମିତି ଯେ କଷ୍ଟ ଦେବ, ତାହା କେବେ ସ୍ୱପ୍ନରେ ବି ଭାବିନଥିଲେ ସୁଶୀଲ । ଅଟୋଚଳାଇ ଯାହା ଦୁଇପଇସା ରୋଜଗାର ହେଉଥିଲା, ସେଥିରେ ବେଶ୍ ହସଖୁସିରେ ଚଳିଯାଉଥିଲା ସମ୍ବଲପୁରର ଅଟୋଚାଳକ ସୁଶୀଲ ବଳବାହାଦୂରଙ୍କ ପରିବାର । କିନ୍ତୁ ଲକଡାଉନ୍ ପରେ ଅଟୋ ବନ୍ଦ ହୋଇଯିବାରୁ, ସୁଶୀଲଙ୍କ ରୋଜଗାର ବି ବନ୍ଦ ହୋଇଗଲା ।

ଏହାପରେ କିଛି ଉପାୟ ନପାଇ ସୁଶୀଲଙ୍କ ସ୍ତ୍ରୀ ଅନୁପମା କାମ କରି ଦୁଇ ପଇସା ରୋଜଗାର କରିବାକୁ ସ୍ଥିର କରିଥିଲେ। ଆଉ ସୁଶୀଲ, ଅନୁପମାଙ୍କ ଏହି ଦୁଃଖ ସମୟର ଫାଇଦା ଉଠାଇ ଜଣେ ଦଲାଲ ଅନୁପମାଙ୍କୁ କାମ ଯୋଗାଇଦେବା ବାହାନାରେ ସମ୍ବଲପୁରରୁ ଉତ୍ତରପ୍ରଦେଶ ନେଇଯାଇଥିଲେ । କିନ୍ତୁ ସେଠାରେ କାମ ଦେବା ବାହାନାରେ ଅନୁପମାଙ୍କୁ ବନ୍ଧକ ରଖାଯାଇଥିବା ସ୍ବାମୀ ସୁଶୀଲ ଅଭିଯୋଗ କରିଛନ୍ତି ।

ହଠାତ ଦିନେ ସୁଶୀଲଙ୍କୁ ଅନୁପମା ଫୋନ କରି କାନ୍ଦିକାନ୍ଦି କହିଥିଲେ, ମୋତେ ଏଠୁ ନେଇଯାଅ । ମୁଁ ଏବେ ଉତ୍ତରପ୍ରଦେଶର ମୁରାଦାବାଦର ସମ୍ବଲ ନାମକ ଏକ ଗାଁରେ ଅଛି । ମୋତେ ଏଇଠି କିଛି ଲୋକ ବନ୍ଦୀ କରି ରଖିଛନ୍ତି । ଘରୁ ବାହାରକୁ ବାହାରିଲେ ମୋତେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ମୋତେ ଏଇଠି ଶାରୀରିକ ଆଉ ମାନସିକ ନିର୍ଯ୍ୟାତନା ବି ଦିଆଯାଉଛି। ମୋତେ ଏହି ସ୍ଥାନରୁ ଯେତେ ଶୀଘ୍ର ପାରୁଛ ନେଇଯାଅ ।

ସ୍ତ୍ରୀଙ୍କଠୁ ଏହା ଶୁଣିବା ପରେ ସଙ୍ଗେ ସଙ୍ଗେ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ସୁଶୀଲ । କିନ୍ତୁ ପୁଲିସ କିଛି ଶୁଣୁଛି ନା କିଛି ସାହାଯ୍ୟ କରୁଛି । ନିରାଶ ହେବା ପରେ ଶେଷରେ ସମ୍ବଲପୁର ଏସପିଙ୍କୁ ଭେଟି ସ୍ତ୍ରୀଙ୍କୁ ଫେରାଇ ଆଣିବାକୁ ସାହାଯ୍ୟ ମାଗିଛନ୍ତି ସୁଶୀଲ । ପାଖାପାଖି ୪୦ଦିନ ହେବ ଅନୁପମା ଘରୁ ଗଲେଣି । ଅନୁପମାଙ୍କ ପାଖରେ ୧୦ବର୍ଷର ବଡ ପୁଅ ଥିବା ବେଳେ, ଦୁଇ ସାନ ପୁଅ ସୁଶୀଲଙ୍କ ପାଖରେ ଅଛନ୍ତି ।