ଗୁପ୍‌ଚୁପ୍‌ ଖାଇବାବେଳେ ଚଢ଼ିଗଲା ଡମ୍ପର; ୨ ନାବାଳକ ମୃତ

ଯୋଡ଼ା : ଘର ଆଗ ରାସ୍ତା ଉପରେ ଜଣେ ନାବାଳକ ଠେଲାରେ ଗୁପ୍‌ଚୁପ୍‌ ବିକ୍ରି କରୁଥିବା ବେଳେ ଅନ୍ୟଜଣେ ଛିଡ଼ା ହୋଇ ଖାଉଥିଲେ। ଏହି ସମୟରେ ମାଡ଼ିଆସିଲା ଏକ ଖଣିଜ ବୋଝେଇ ଡମ୍ପର୍‌। କେହି କିଛି ଭାବିବା ପୂର୍ବରୁ ଉଭୟଙ୍କ ଉପରେ ଡମ୍ପରଟି ଚଢ଼ିଗଲା। ଘଟଣାସ୍ଥଳରେ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କାଳିମାଟିରେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଉତ୍ତ୍ୟକ୍ତ ଲୋକେ ରାସ୍ତା କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, କାଳିମାଟିର ଲକ୍ଷ୍ମଣ ଭଗତ (୧୩) ସନ୍ଧ୍ୟାରେ କାଳିମାଟିଛକର ରାସ୍ତାକଡ଼ରେ ଠେଲା ଲଗାଇ ଗୁପ୍‌ଚୁପ୍‌ ବିକ୍ରି କରୁଥିଲେ। ନବମ ଶ୍ରେଣୀରେ ପଢ଼ୁଥିବା ଚନ୍ଦ୍ର ମୁଣ୍ଡାଙ୍କ ପୁଅ କିସ୍ମତ ମୁଣ୍ଡା (୧୪) ଆଜି ସନ୍ଧ୍ୟ‌ା ପ୍ରାୟ ୬ଟାବେଳେ ରାସ୍ତାରେ ଛିଡ଼ା ହୋଇ ତାଙ୍କ ପାଖରୁ ଗୁପ୍‌ଚୁପ୍‌ ଖାଉଥିଲେ। ଏହି ସମୟରେ ସ୍ଥାନୀୟ ଖଣିରୁ ଖଣିଜ ବୋଝେଇ କରି ନୟାଗଡ଼ସ୍ଥିତ ‌ରେଳସାଇଡିଂକୁ ଯାଉଥିବା ଏକ ଡମ୍ପର (ଓଆର୍-୦୯-ଏଚ୍‌-୬୦୭୩) ଉଭୟଙ୍କ ଉପ‌ରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଏହା ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ବାମେବାରୀ ଥାନା ଅଧିକାରୀ ମନୋରଞ୍ଜନ ବିଶି ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲେ। ହେଲେ କୌଣସି ସୁଫଳ ମିଳିପାରିନି। ରାସ୍ତାରୋକ ଚାଲିଥିବାରୁ ଗାଡ଼ିମୋଟର ଅଟକି ରହିଛି। ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଲୋକେ ଦାବି କରିଛନ୍ତି। ଦୁର୍ଘଟଣା ଘଟା‌ଇଥିବା ଡମ୍ପରକୁ ପୁଲିସ ଅଟକ ରଖିଛି।

ସମ୍ବନ୍ଧିତ ଖବର