ସୋରଢ: ସୋର ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ଜଣଙ୍କୁ ସାପ କାମୁଡ଼ିଥିବା ବେଳେ ଜଣେ ଶିଶୁକନ୍ୟା ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।
ସୋର ବ୍ଲକ୍ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡ଼ିହା ଗ୍ରାମର ଲାଲମୋହନ ସିଂ’ଙ୍କ ପରିବାର ଗତକାଲି ରାତିରେ ଖାଇପିଇ ଶୋଇଥିଲେ। ଆଜି ସକାଳେ ତାଙ୍କର ୨ ମାସର ଶିଶୁକନ୍ୟା ଭାଗ୍ୟଲକ୍ଷ୍ମୀ ଆଉ ଉଠି ନଥିଲେ। ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ସୋର ଡାକ୍ତରଖାନା ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁକନ୍ୟାର ବେକରେ କାମୁଡ଼ା ଦାଗ ଥିବାରୁ ସର୍ପଦଂଶନରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ସେହିପରି ବାଳଙ୍ଗ ପଞ୍ଚାୟତ ମୁକ୍ତେଶ୍ୱରପୁର ଗ୍ରାମର ରମଣୀଲତା ସାହୁ (୩୬) ଗତକାଲି ରାତିରେ ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ପରିବାର ଲୋକ ତାଙ୍କୁ ପ୍ରଥମେ ସୋର ଏବଂ ପରେ ବାଲେଶ୍ୱର ଡାକ୍ତରଖାନା ନେଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ବାଳଙ୍ଗ ପଞ୍ଚାୟତ ସିମୁଳିଆ ଗ୍ରାମର ମଣି ବେହେରା (୪୫)ଙ୍କ ସହ ଦିବାକର ବେହେରା, ଅନ୍ନପୂର୍ଣ୍ଣା ଖିଲାର, ମୋନାଲିସା ବିଶ୍ୱାଳ ପ୍ରମୁଖ ସାପ କାମୁଡ଼ାରେ ଗୁରୁତର ହୋଇଥିବା ବେଳେ ଚିକିତ୍ସାଧୀନ ଅଛନ୍ତି।
ସୂଚନା ଥାଉକି ସାପ କାମୁଡ଼ାକୁ ନେଇ ସୋର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ଗତ ୪ ତାରିଖ ଓ ୫ ତାରିଖ; ଦୁଇଦିନରେ ୨୯ ଜଣ ସର୍ପ ଦଂଶନର ଶିକାର ହୋଇଥିଲେ। ସାଧାରଣତଃ ପ୍ରାକ୍ ମୌସୁମୀ ସମୟ ସାପଙ୍କର ପ୍ରଜନନ ସମୟ। ଏହାଛଡ଼ା ଅସହ୍ୟ ଗରମ କାରଣରୁ ସରୀସୃପଗୁଡ଼ିକ ଗାତରୁ ବାହାରି ଆସିଥା’ନ୍ତି। ଏହି ସମୟରେ ଲୋକମାନେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ସର୍ପ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/snake-bite.jpg)