ନିଶାଶକ୍ତ ଟ୍ରକ ଚାଳକର ଉନ୍ମତ୍ତକାଣ୍ଡ, ଘଟାଇଲା ସିରିଜ୍ ଦୁର୍ଘଟଣା, ୨ ମୃତ

ବାରିପଦା : ଚାଳକ ମଦ ପିଇ ଟ୍ରକ ଚଳାଇବାରୁ ସିରିଜ୍ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଶେଷରେ ଲୋକେ ଟ୍ରକକୁ ଅଟକ ରଖି ପୁଲିସକୁ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନରେ ଏକ ସିମେଣ୍ଟ ବୋଝେଇ ୧୦ ଚକିଆ ଟ୍ରକ୍ ଉଦଳାରୁ ବାରିପଦା ଅଭିମୁଖେ ଆସୁଥିବା ସମୟରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ପ୍ରଥମେ ବାସିପିଠା ନିକଟରେ ଦୁଇ ଯୁବକ ମରଣମୁହଁରୁ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଡୁକୁରା ଠାରେ ଏକ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଖସିଯାଇଥିଲା । ଫଳରେ ବସ୍‌ଟି ସାମାନ୍ୟ ଭଙ୍ଗାରୁଜା ହୋଇଥିବା ବେଳେ ସୌଭାଗ୍ୟବଶତଃ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାଯାଇଛି । ଟ୍ରକ୍‌ଟି ସେଠାରୁ ଆସି କରଞ୍ଜିଆ, ପୋଡ଼ାଅସ୍ତିଆରେ ଦୁର୍ଘଟଣା ଘଟାଇ ବାରିପଦା ସହରର ବୁଢ଼ାବଳଙ୍ଗ ନଦୀ ପୋଲ ଉପରେ ଦୁଇଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେକେ ଅନ୍ୟଜଣେ ଗୁରୁତର ଅବସ୍ଥାରେ ବାରିପଦା ପିଆର୍‌ଏମ୍ ମେଡିକାଲ୍‌ କଲେଜରେ ମୃତ୍ୟୁବରଣ କରିଛନ୍ତି । ମୃତକମାନେ ହେଲେ; ବାରିପଦା ସଦର ଥାନା ଅଞ୍ଚଳଳର ସୁରଜ କାଳନ୍ଦୀ ଓ ଭଞ୍ଜ କାଳନ୍ଦୀ । ସ୍ଥାନୀୟ ଲୋକ ଟ୍ରକ୍‌ ଓ ଚାଳକଙ୍କୁ ଅଟକ ରଖି ବାରିପଦା ଟାଉନ୍‌ ପୁଲିସକୁ ହସ୍ତାନ୍ତର କରିଛନ୍ତି । ତେବେ ଟ୍ରକ୍ ଚାଳକ ଜଣଙ୍କ ଅତ୍ୟଧିକ ମଦ୍ୟପାନ କରିଥିବା ସ୍ୱୀକାର କରିଛି ।

ସମ୍ବନ୍ଧିତ ଖବର