ସୁନ୍ଦରଗଡ଼: ଆଜି ସକାଳୁ ସଦର ବ୍ଲକ୍ ମାନୁମୁଣ୍ଡା- ଧାଉଁଲାଖମନ ଗାଁ ମଝିରେ ଥିବା ପୋଲ ତଳେ୨ ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖାଯାଇଛି। ମୃତକମାନେ ହେଲେ ବିଜୁଳିଖମନ ଗାଁର ଅଜୁ ମାଝୀ ଓ ସଚୀନ୍ଦ୍ର କିଷାନ। ମୃତଦେହ ଠାରୁ ଅଳ୍ପ ଦୂରରେ ପଡ଼ିଛି ବାଇକ। ମୃତ୍ୟୁର କାରଣ ଜଣା ପଡ଼ି ନଥିଲେ ବି ପାରିପାର୍ଶ୍ବିକ ସ୍ଥିତି ଅନୁସାରେ ଦୁହିଁଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ସବୁଠାରୁ ବଡ଼ କଥା ହେଲା ବର୍ତ୍ତମାନ ଘଟଣାସ୍ଥଳରେ ଧରୁଆଡ଼ିହି ପୁଲିସ ପହଞ୍ଚିଥିଲେ ବି ଏହା ସଦର ଥାନା ଅଞ୍ଚଳରେ ଆସୁଛି କହି ଶବ ଉଠାଇ ନାହିଁ।
ଅନ୍ୟପଟେ ସଦର ପୁଲିସ ବି ଧରୁଆଡିହି ପୁଲିସ ବୁଝିବ କହି ଘଟଣାସ୍ଥଳକୁ ଯାଇ ନାହିଁ। ଥାନା ସୀମା ବିବାଦ ଯୋଗୁଁ ୧୦ ଘଣ୍ଟା ହେଲା ଶବ ପଡ଼ିରହିଛି। ଗତକାଲି ରାତିରୁ ୨ ଯୁବକ କୁଆଡ଼େ ବାହାରି ଯାଇଥିଲେ। ହେଲେ ସେମାନେ କୁଆଡ଼େ ଯାଇଥିଲେ। ସେମାନଙ୍କ ସହ କଣ ଘଟିଛି, ପୋଲ ତଳକୁ ମୃତଦେହ କେମିତି ଆସିଲା। ଏହା ଦୁର୍ଘଟଣା ନା ହତ୍ୟା। ସାଧାରଣରେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରିଛି।