ଲଖନପୁର: ଲଖନପୁର ଥାନା ଜାତୀୟ ରାଜପଥ ୪୯ର ଡୁଡଗା ଛକ ନିକଟରେ ସୋମବାର ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଯାଇଛି।

Advertisment

ମୃତ ଯୁବକ ଦ୍ବୟ ହେଲେ ରେଙ୍ଗାଲି ଥାନା ଅନ୍ତର୍ଗତ ବେତଝରଣ ଗାଁର ଟିକେଶ୍ୱର ମୁଣ୍ଡା(୩୮) ଓ ଦଶରଥ ମୁଣ୍ଡା(୨୮)। ସୂଚନା ଅନୁଯାୟୀ ଟିକେଶ୍ବର, ଦଶରଥ ଓ ଗଣେଶ ମୁଣ୍ଡା (୨୧) କୌଣସି କାମରେ ବାଇକ୍‌ (ଓଡି-୨୩ସି-୯୩୦୩)ରେ ଗାନ୍ଧୀଛକ ଯାଇ ରାତିରେ ଘରକୁ ଫେରୁଥିବା ବେଳେ ପୂର୍ବରୁ ବ୍ରେକ୍‌ଡାଉନ୍‌ ଅବସ୍ଥାରେ ଛିଡ଼ା ହୋଇଥିବା ଟ୍ରକ୍‌ (ଓଆର୍‌-୨୩ବି-୬୫୦୪)କୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ବାଇକ୍‌ଟି ଟ୍ରକ୍‌ ଭିତରକୁ ପଶିଯାଇଥିଲା।

ସ୍ଥାନୀୟ ଲୋକେ ବାଇକ ଆରୋହୀଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠି ଡାକ୍ତର ଟିକେଶ୍ୱର ଓ ଦଶରଥଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଥିବା ଗଣେଶଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ମଙ୍ଗଳବାର ମୃତ ଦଶରଥଙ୍କ ଭାଇ ଜନକ ମୁଣ୍ଡା ଲଖନପୁର ଥାନାରେ ଏତଲା ଦେଇ ବାଇକ୍‌ ଚାଳକ ଟିକେଶ୍ୱରଙ୍କ  ଦ୍ରୁତ ଓ ବେପରୁଆ ବାଇକ ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କହିଥିଲେ। ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାର ଅଦିକ ତଦନ୍ତ ଜାରି ରହିଥିବା ଏଏସଆଇ ଚୂଡ଼ାମଣି ପଧାନ ସୂଚନା ଦେଇଛନ୍ତି।