ଭଞ୍ଜନଗର/ପାଟଣାଗଡ଼: ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳର ଗୁଣ୍ଡୁରିବାଡ଼ି ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ହାବୁଡ଼ରେ ପଡ଼ି ଜଣେ ଚାଷୀ ପ୍ରାଣ ହରାଇଛନ୍ତି। ମୃତକଜଣକ ହେଲେ, ଉକ୍ତ ଗ୍ରାମର ଟୁନା ଗୌଡ଼ (୫୨)। ଟୁନା ଓ ଗ୍ରାମର ଆଉ କିଛି ଲୋକ ଗତକାଲି ରାତି ୯ଟାରେ ଖାଇସାରି ଡାଳଖାଇ ପଦରମାଳ ନିକଟରେ ଜମିକୁ ଧାନଫସଲ ଜଗିବାକୁ ଟର୍ଚ୍ଚ, ଠେଙ୍ଗା ଓ ବେଲ୍ଟ୍ ହେଡ୍‌ଲାଇଟ୍ ସହ ଯାଇଥିଲେ। ଏହି ସମୟରେ ସଂରକ୍ଷିତ ଜଙ୍ଗଲରୁ ହଠାତ୍ ୧୭ ଟିକିଆ ହାତୀପଲ ଚାଷଜମି ଆଡ଼କୁ ମାଡ଼ିଆସିବାରୁ ଟୁନାଙ୍କ ସହ ଅନ୍ୟମାନେ ଜୀବନ ରକ୍ଷା ପାଇଁ ‌ଦୌଡ଼ିଥିଲେ। କିନ୍ତୁ ଟୁନା ତଳେ ପଡ଼ିଯିବାରୁ ହାତୀଙ୍କ କବଳରୁ ବର୍ତ୍ତିପାରି ନଥିଲେ। ଟୁନାଙ୍କୁ ହାତୀପଲ କଚାଡି ଦେଇଥିଲେ। ହିଂସ୍ର ହାତୀପଲ କବଳରୁ ଟୁନାଙ୍କୁ ରକ୍ଷା କରିବାକୁ କେହିବି ସାହସ ଜୁଟାଇ ପାରିନଥିଲେ। ବନ ବିଭାଗ କର୍ମଚାରୀମାନେ ପହଞ୍ଚି ହାତୀପଲକୁ ଘଉଡ଼ାଇବା ପରେ ଟୁନାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣା ପରେ ସକା‌ଳେ ଗୁଣ୍ଡୁରିବାଡ଼ି ଗ୍ରାମରେ ଉତ୍ତେଜନା ଦେଖାଦେଇଥିଲା। ଗ୍ରାମବାସୀ ମୃତକଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ ଦାବି କରିଥିଲେ।

Advertisment

ଏସିଏଫ୍ ବିକ୍ରମ ଦେବ ପଟ୍ଟନାୟକ, ବନପାଳ କାହ୍ନୁଚରଣ ଖଟେଇ, ବନରକ୍ଷୀ ସୁଶୀଲ କୁମାର ରାଉତ ଓ ପବିତ୍ର ମଲ୍ଲିକ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ସରକାରୀ ନିୟମାନୁସାରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଉଲ୍ଲେଖ ଥାଉ କି ତେବେ ଉତ୍ତର ଘୁମୁସର ବନଖଣ୍ଡର ମୁଜାଗଡ଼ ବନାଞ୍ଚଳରେ ୧୭ଟିକିଆ ହାତୀପଲଙ୍କ ଗତିବିଧି ବନ ବିଭାଗର ନିଦ ହଜାଇଦେଇଛି। ହାତୀପଲ ସଞ୍ଜ ନଇଁଲେ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି। ଫଳରେ ହାତୀଙ୍କ ସହ ମଣିଷଙ୍କ ସୁରକ୍ଷା ଏବେ ଚ୍ୟାଲେଞ୍ଜ୍ ସୃଷ୍ଟି କରିଛି। ସେପଟେ ଧାନ ଅମଳ ସମୟ ପାଖେଇ ଆସୁଥିବାରୁ ଚାଷୀ ମୁଣ୍ଡରେ ଭାଳେଣି ପଡ଼ିଛି। ଗତ କିଛି ଦିନ ତଳେ ଜଗନ୍ନାଥପ୍ରସାଦ ବ୍ଲକ୍ ଗେରେଡ଼ା ପଞ୍ଚାୟତର କାହ୍ନୁ ଗୌଡ଼ ରାତିରେ ଫସଲକୁ ସୁରକ୍ଷା ଦେବା ନିମନ୍ତେ ଯାଇଥିବା ବେଳେ ସକାଳୁ ତାଙ୍କ ଶବ ଜମି ପାଖ ଜଳାଶୟରୁ ମିଳିଥିଲା। ହାତୀକୁ ଦେଖି ମଞ୍ଚାରୁ ଅସାବଧାନତାବଶତଃ ଖସି ପଡ଼ି ତାଙ୍କର ମୃତ୍ୟୁ ଅଭିଯୋଗ ହୋଇଛି |

ସେହିପରି ଆଜି ପାଟଣାଗଡ଼ ସହରରେ ଏକ ଜଙ୍ଗଲି ଦନ୍ତା ହାତୀ ପୁଡାପଦର ଗ୍ରାମରେ କପା କିଆରିରେ ଥିବା ଜୈନିକ ବ୍ୟକ୍ତିକୁ ଦଳି ଦେଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଭୋରରୁ କଣ୍ଟାବାଞ୍ଜି - ପାଟଣାଗଡ଼ ମୁଖ୍ୟ ରାସ୍ତାରେ ଏକ ଦନ୍ତା ହାତୀ ସହର ମଧ୍ୟକୁ ଆସି ବୁଲୁଥିବା ନେଇ କିଛି ଲୋକ ଦେଖିଥିଲେ। ଏହା ଦେଖି ଲୋକେ ପଛରେ ଗୋଡାଇଥିଲେ। ସହରର ମୁଖ୍ୟ ରାସ୍ତାରେ ଯାଉଥିବା ସହ ପରେ ପାଟଣାଗଡ଼ ରାମଜୀଛକ ପହଞ୍ଚି ସେଠାରୁ ପାଟଣାଗଡ଼ - ପଦ୍ମପୁର ରାସ୍ତା ଦେଇ ଲରମ୍ଭା ଥାନା ଅନ୍ତର୍ଗତ ପୁଡାପଦର ଅଞ୍ଚଳରେ ବୁଲୁଥିଲା। ସେଠାରେ ଦ୍ବିପ୍ରହରରେ ପୁଡାପଦର ସ୍ଥିତ କପା କିଆରିରେ ଗ୍ରାମର ବଳରାମ ହୋତା(୬୦) ନାମକ ଜୈନିକ ବୃଦ୍ଧ ଘାସ ଆଣିବା ପାଇଁ ଯାଇଥିବା ସମୟରେ ସମ୍ପ୍ରୁକ୍ତ ହାତୀର ଶିକାର ହୋଇଥିଲେ। ଫଳରେ ବଳରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି।