ରାୟଗଡ଼ା: ରାୟଗଡ଼ା ବ୍ଲକ୍ ପିତାମହଲ ପଞ୍ଚାୟତ କନ୍ଧଖିଲମ୍ ଗ୍ରାମରେ ବ୍ୟାପିଛି ଝାଡ଼ାବାନ୍ତି। ସପ୍ତାହେ ଧରି ଗ୍ରାମର ବହୁ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ଆଦାମା ଓରଲାକା (୫୫) ଓ ଗାଜ ମେଲେକା (୪୦)। ୨ ଜଣଙ୍କ ମୃତ୍ୟୁ ପରେ ମେଡ଼ିକାଲ୍ ଟିମ୍ ପହଞ୍ଚି ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି। ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲକ୍ଷ୍ମୀ ନାରାୟଣ ସାବତ କନ୍ଧଖିଲମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। କନ୍ଧଖିଲମ୍ ଗାଁରେ ୬୦ ପରିବାର ବସବାସ କରୁଛନ୍ତି। ପ୍ରତି ଘରକୁ ଟ୍ୟାପ୍ ଜରିଆରେ ପାଣି ଯୋଗାଇ ଦେବାକୁ ନିର୍ମାଣ ହୋଇଛି ଓଭରହେଡ୍ ପାଣି ଟାଙ୍କି। ୫ ବର୍ଷ ହେଲା ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ପାଉଥିଲେ। ବିଦ୍ୟୁତ୍ ବିଲ୍ ବକେୟା ପାଇଁ ଗତ ଦୁଇ ସପ୍ତାହ ହେଲା ବିଦ୍ୟୁତ୍ ବିଭାଗ ଓଭରହେଡ୍ ଟ୍ୟାଙ୍କରୁ ବିଦ୍ୟୁତ୍ ଯୋଗାଣ ବିଚ୍ଛିନ୍ନ କରିବା ପରେ ଜଳ ଯୋଗାଣ ବନ୍ଦ ରହିଛି।
ଜଳ ଯୋଗାଣ ବନ୍ଦ ପରେ ଗ୍ରାମବାସୀ ଗ୍ରାମରେ ଥିବା ନଳକୂପ ଓ ଝରଣା ପାଣିକୁ ବ୍ୟବହାର କରୁଛନ୍ତି। ନଳକୂଅରୁ ଲୌହ ଯୁକ୍ତ ପାଣି ବାହାରୁଥିବା ବେଳେ ଦୂଷିତ ଝରଣା ପାଣି ପିଇ ଲୋକେ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି। ସପ୍ତାହକ ମଧ୍ୟରେ ଗ୍ରାମରେ ଦୁଇ ଜଣଙ୍କ ମୃତ୍ୟୁ ହେଲାଣି। ଆଜି ୩ ଜଣଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ମୃତ୍ୟୁ ହୋଇଥିବା ଗାଜ ମେଲେକା ପୂର୍ବରୁ କିଡନୀ ରୋଗରେ ପୀଡ଼ିତ ଥିବା ଏବଂ ବୟସାଧିକ୍ୟ କାରଣରୁ ଝାଡ଼ାବାନ୍ତିର ଶିକାର ହୋଇ ଆଦାମାଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ଅନୁମାନ କରିଛି। ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଡାକ୍ତରୀ ଦଳ ଗାଁରେ ପହଞ୍ଚି ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ହାଲୋଜିନ୍ ବଟିକା, ଓଆରଏସ୍ ପ୍ୟାକେଟ୍ ବଣ୍ଟନ କରିଛନ୍ତି।
ପାଣି ଫୁଟାଇ ପିଇବା ପାଇଁ ସ୍ବାସ୍ଥ୍ୟ ବିଭାଗ ସମସ୍ତଙ୍କୁ ସଚେତନ କରିଛି। ବିଧାୟକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଜି ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ବକେୟା ଥିବା ବିଦ୍ୟୁତ୍ ବିଲ୍ ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଜଳ ଯୋଗାଣ ହେବା ଦିନଠୁ ଆଜି ପର୍ଯ୍ୟନ୍ତ ବକେୟା ବିଲ୍ ବାବଦକୁ ୧ ଲକ୍ଷ ୯୫ ହଜାର ଟଙ୍କା ରହିଛି। ଯେଉଁଥି ପାଇଁ ଟାଟା ପାୱାର ବିଦ୍ୟୁତ୍ ବିଚ୍ଛିନ୍ନ କରିଛି। ବକେୟା ବିଲର ଅଧା ଟଙ୍କା ପୈଠ କରି ଜଳ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାବତ। ସେପଟେ ବିଧାୟକ ସୋଲାର ଦ୍ବାରା ପରିଚାଳିତ ପାନୀୟ ଜଳ ପ୍ରକଳ୍ପ ଗ୍ରାମରେ ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଛନ୍ତି।