ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳପ୍ରବେଶ ହାର କ୍ରମାଗତ ଭାବେ କମିବାରେ ଲାଗିଛି। ଏଭଳି ସ୍ଥିତିରେ ଆଜି ପୁଣି ୬ଟି ଗେଟ୍‌ ବନ୍ଦ କରିଦିଆଯାଇଛି। ଗତକାଲି ୮ଟି ଗେଟ୍‌ ଖୋଲାଥିବା ବେଳେ ଆଜି ମାତ୍ର ୨ଟି ଗେଟ୍‌ ଖୋଲା ରହିଛି। ଗତକାଲି ସନ୍ଧ୍ୟା୬ ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୪୩ ଫୁଟ୍‌ ରହିଥିବା ବେଳେ ଆଜି ସେହି ସମୟରେ ୬୦୭.୧୨ ଫୁଟ୍‌କୁ ଖସି ଆସିଛି। ଜଳଭଣ୍ଡ‌ାରକୁ ୫୮,୯୪୬ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ସର୍ବମୋଟ ୬୯,୧୫୦ କ୍ୟୁସେକ୍ ପାଣି ଜଳଭଣ୍ଡାରରୁ ନିଷ୍କାସିତ ହେଉଛି।

Advertisment

ଜଳଭଣ୍ଡାରର ୨ଟି ଗେଟ୍ ‌ଦେଇ ୨୯,୨୬୨ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୬,୨୦୭ କ୍ୟୁସେକ୍ ପାଣି ମହାନଦୀକୁ ଛଡ଼ାଯାଇଛି। ଜଳସେଚନ ପାଇଁ କେନାଲଗୁଡ଼ିକରେ ୩,୪୦୭ କ୍ୟୁସେକ୍ ପାଣି ଛଡ଼ାଯାଇଛି। ସେଥିରୁ ବରଗଡ଼ କେନାଲରେ ୨୬୭୫ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲରେ ୬୩୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୧୦୨ କ୍ୟୁସେକ୍ ପ୍ରବାହିତ ହେଉଛି। ଶିଳ୍ପ ସଂସ୍ଥାଗୁଡ଼ିକୁ ୨୭୪ କ୍ୟୁସେକ୍ ପାଣି ଯୋଗାଇ ଦିଆଯାଉଛି।