ଝାରସୁଗୁଡ଼ା: ମହାନଦୀ ଟ୍ରିବ୍ୟୁନାଲଙ୍କ ଗସ୍ତ ସମୟରୁ ଛତିଶଗଡ଼ କଲ୍‌ମା ବ୍ୟାରେଜର ୨ଟି ଗେଟ୍‌ ଖୋଲା ରଖିଛି। କିନ୍ତୁ ଛତିଶଗଡ଼ର ତଞ୍ଚକତା କାରଣରୁ ବ୍ୟାରେଜର ତଳ ମୁଣ୍ଡରେ ଥିବା ଶିଳ୍ପାନୁଷ୍ଠାନ ଯାଏ କେବଳ ପାଣି ପହଞ୍ଚୁଥିବା ବେଳେ ମହାନଦୀ ଶୁଖିଲା ପଡ଼ିଛି। ଯାହାର ପ୍ରଭାବ ସିଧାସଳଖ ଭାବେ ହୀରାକୁଦ ଜଳଭଣ୍ଡାରରେ ପଡ଼ୁଥିବା ଦେଖିବାକୁ ମିଳିଛି। ବୁଧବାର ସକାଳ ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୪.୨୯ ଫୁଟ୍‌ ରହିଥିବା ବେଳେ ଜଳଭଣ୍ଡାରକୁ ମାତ୍ର ୮୩୧ କ୍ୟୁସେକ୍‌ ପାଣି ପ୍ରବେଶ କରୁଛି। ତେବେ କଲ୍‌ମାର ସମସ୍ତ ଗେଟ୍‌ ବନ୍ଦ ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ। ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପରଠାରୁ ହିଁ କଲ୍‌ମାର ୨ଟି ଗେଟ୍‌ ଖୋଲା ରହିଥିବା ବେଳେ ଆଜି ସକାଳ ରିପୋର୍ଟ ଅନୁସାରେ ମଧ୍ୟ ଏହି ୨ ଗେଟ୍‌ ଖୋଲା ରହିଥିବା କର୍ତ୍ତୃପକ୍ଷ କହିଛନ୍ତି। ତେବେ ଛତିଶଗଡ଼ ସରକାର ଚାଲାକି କରି ‌କଲ୍‌ମାର ତଳମୁଣ୍ଡରେ ଥିବା ଶିଳ୍ପାନୁଷ୍ଠାନ ପାଇଁ ଯେତିକି ପରିମାଣର ପାଣି ଆବଶ୍ୟକ ସେତିକି ପରିମାଣର ପାଣି ହିଁ ଏହି ୨ ଗେଟ୍‌ରେ ଛାଡ଼ୁଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Advertisment

ଛତିଶଗଡ଼ର ଏହି ଚାଲାକି ପାଇଁ କଲ୍‌ମା ତଳମୁଣ୍ଡରେ ଥିବା ଶୁଖାସୋଢାରୁ ନେଇ ସମ୍ବଲପୁର ଯାଏ ମହାନଦୀ ଟାଙ୍ଗରା ଭୂଇଁ ପାଲଟି ଯାଇଛି। କାଁ ଭାଁ ପାଣି ଦେଖିବାକୁ ମିଳୁଥିବା ବେଳେ ହୀରାକୁଦ ଜଳଭଣ୍ଡାରରେ ବି ସାଂଘାତିକ ଜଳସ୍ତର ହ୍ରାସ ହେବାରେ ଲାଗିଛି। ମଙ୍ଗଳବାର ଜଳଭଣ୍ଡାରର ଜଳସ୍ତର ୬୦୪.୪୫ ଫୁଟ୍‌, ସୋମବାର ୬୦୪.୬୫ ଫୁଟ୍‌, ରବିବାର ୬୦୪.୮୧ ଫୁଟ୍‌, ଶନିବାର ୬୦୪.୯୫ ଫୁଟ୍‌ ଓ ଶୁକ୍ରବାର ୬୦୫.୦୮ ଫୁଟ୍‌ ରହିଥିଲା। ଛତିଶଗଡ଼ ‌ପାଣି ରୋକିବା ଯୋଗୁଁ କେବଳ ମହାନଦୀ ନୁହେଁ ବରଂ ଏହାର ଉପନଦୀଗୁଡ଼ିକ ଉପରେ ବି ଯଥେଷ୍ଟ ପ୍ରଭାବ ପଡ଼ିଛି। ସେପଟେ, କେଲୋର ସମସ୍ତ ଗେଟ୍‌ ବନ୍ଦ କରି ଦିଆଯିବା ପରେ ଏବେ ଲଖନପୁର ଅଞ୍ଚଳର ୫ଟି ପଞ୍ଚାୟତର ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।