ସୁନ୍ଦରଗଡ଼ର ୪ଟି ଆଦର୍ଶ ବିଦ୍ୟାଳୟରେ ଖୋଲିବ ଯୁକ୍ତ ଦୁଇ

ସୁନ୍ଦରଗଡ଼ : ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନରତ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିର ଖବର। ଓଡିଶାର ଶହେଟି ଆଦର୍ଶ ବିଦ୍ୟାଳୟରେ ପୂର୍ବରୁ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଯୁକ୍ତ ଦୁଇ ସିବିଏସଇ ପାଠ୍ୟକ୍ରମ ଖୋଲିଥିବା ବେଳେ ଚଳିତ ବର୍ଷ ତୃତୀୟ ପର୍ଯ୍ୟାୟରେ ୨୩ଟି ବିଦ୍ୟାଳୟ ଏଥିରେ ସାମିଲ ହୋଇଛି। ଏହିକ୍ରମରେ ଆଦିବାସୀ ଅଧ୍ୟୁସିତ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଥମ କରି ୪ଟି ବିଦ୍ୟାଳୟ ସୁନ୍ଦରଗଡ଼ ସଦର ବ୍ଲକର ତାଳଶଙ୍କରା, ବଣାଇ ବ୍ଲକର ଏନବାବୁନୂଆଗାଁ, ରାଜଗାଙ୍ଗପୁର ବ୍ଲକର ରାଜଗାଙ୍ଗପୁର ଓ ସବଡେଗା ବ୍ଲକର ସିମଡେଗା ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ପାଠ ପଢାଯିବ। ଏନେଇ ଓଡିଶା ଆଦର୍ଶ ବିଦ୍ୟାଳୟରେ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧରୀ ଏ ସମସ୍ତ ବିଦ୍ୟାଳୟର ପ୍ରିନସିପାଲଙ୍କୁ ଚିଠି ଲେଖି ଚଳିତ ମେ ୩୧ ସୁଦ୍ଧା ବିଧିବଦ୍ଧ ଭାବେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଓଡିଶା ଆଦର୍ଶ ବିଦ୍ୟାଳୟରେ ପଢୁଥିବା ସୁନ୍ଦରଗଡ଼ର ଅନେକ ଗରିବ ମେଧାବୀ ପିଲା ଦଶମ ପରେ ଅର୍ଥ ଅଭାବ ଯୋଗୁଁ ଉଚ୍ଚଶିକ୍ଷାରୁ ବଞ୍ଚିତ ରହୁଥିଲେ। ସେଥିପାଇଁ ବିଦ୍ୟାଳୟରେ ଯୁକ୍ତ ଦୁଇ ଖୋଲିବାକୁ ଯୁବନେତା ଡ. ହିମାଂଶୁ ଶେଖର ଷଡ଼ଙ୍ଗୀଙ୍କ ସମେତ ଅଭିଭାବକମାନେ ଦାବି କରି ଆସୁଥିଲେ। ଏହି ମର୍ମରେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ଜିଲ୍ଲାର ୪ଟି ବିଦ୍ୟାଳୟରେ ଯୁକ୍ତ ଦୁଇ ପାଠ୍ୟକ୍ରମ ଆରମ୍ଭ ହେବାକୁ ଯାଉଥିବାରୁ ଅଞ୍ଚଳର ଆଦିବାସୀ, ଅନୁସୂଚୀତ ଜାତି ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର