ରାଇରଙ୍ଗପୁର/ତିରିଂ: ରାଂଚି-ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥରେ ପୁଣି ଦୁର୍ଘଟଣା । ପ୍ରତ୍ୟେକ ଦିନ ଛୋଟବଡ ଦୁର୍ଘଟଣା ମାନ ଘଟିଚାଲିଛି । ଉକ୍ତ ଜାତୀୟ ରାଜପଥରେ ଯାତାୟତ କରିବା ପାଇଁ ଭୟ କରୁଛନ୍ତି ଯାତ୍ରୀ । ସୂଚନାଯୋଗ୍ୟ ଯେ ଆଜି ମଧ୍ୟ ସିରିଜ୍ ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅର୍ନ୍ତଗତ ରାଂଚି- ବିଜୟୱାଡା ୨୨୦ ନଂ ଜାତୀୟ ରାଜପଥର ବଡଡାଳିମା ମୁଖ୍ୟ ବଜାର ନିକଟରେ ପ୍ରଥମେ ଜେଏଚ୍ ୦୫ ଏୱାୟ-୦୨୪୫ ଏକ ବାଇକ୍ ,ଦ୍ୱିତୀୟରେ ନଂ ଜେଏଚ୍ ୦୫ଡିଆର୍-୦୯୬୭ ବିଶିଷ୍ଟ ଏକ ସ୍କୁଟି ଏବଂ ତୃତୀୟରେ ଓଆର୍-୧୧ଜେ-୦୧୮୭ ବିଶିଷ୍ଟ ଏକ ଅଟୋକୁ ଓଡି-୦୯ଏମ୍-୭୧୫୫ ବିଶିଷ୍ଟ ଆଇରନ୍ ପଥର ବୋଝେଇ ଏକ ଟ୍ରକ୍ ସିରିଜ୍ ଦୁର୍ଘଟଣା ଘଟାଇବାରୁ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।
ଗୁରୁତର ଦୁଇଜଣ ହେଲେ ବାଇକ୍ ଚାଳକ ତିରିଂ ଥାନା ଓଲିଡି ଗ୍ରାମର ମାଝିଆ ମାରାଣ୍ଡି (୩୦) ଏବଂ ବହଳଦା ଥାନା ଝାଡଗାଁ ଗ୍ରାମର ଅଟୋ ଚାଳକ ଦିଲ୍ଲୀପ ମିଶ୍ର(୫୫) । ଉଭୟ ଗୁରୁତର ଆହତଙ୍କୁ ପ୍ରଥମେ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଗୁରୁତର ଥିବା ଦିଲ୍ଲୀପ ମିଶ୍ରଙ୍କୁ ବାରିପଦାସ୍ଥ ପିଆରଏମ୍ ମେଡିକାଲ୍ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ତିରିଂ ପୋଲିସ୍ ପହଂଚି ଦୁର୍ଘଟଣା ଘଟାଇଥିବା ଟ୍ରକ୍ ,ବାଇକ୍,ସ୍କୁଟି ଓ ଅଟୋକୁ ଜବତ କରିଥିବା ବେଳେ ଟ୍ରକ୍ ଚାଳକକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି । କେନ୍ଦୁଝର ଜିଲ୍ଲାର ଗନ୍ଧମାର୍ଦ୍ଧନ ମାଇନ୍ସରୁ ପଡୋଶୀ ଝାଡଖଣ୍ଡ ରାଜ୍ୟକୁ ଯାଉଥିବା ଲୁହାପଥର ବୋଝେଇ ଟ୍ରକର ଅଧିକାଂଶ ଚାଳକ ମାନେ ପ୍ରତ୍ୟେକ ଦିନ ନିଶାଦ୍ରବ୍ୟ ସେବନ କରି ଗାଡି ଚଳାଉଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବାର ଅଭିଯୋଗ ହେଉଛି । ୨୨୦ ନଂ ଜାତୀୟ ରାଜପଥରେ ଏଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବା ବେଳେ ବେପରୁଆ ଗାଡିଚାଳନା ଦିଗରେ କଠୋର ନିୟମ ଓ କଡାକଡି କାର୍ଯ୍ୟନୁଷ୍ଠାନ ପାଇଁ ସାଧାରଣରେ ଦାବୀ କରାଯାଉଛି ।