ପ୍ରେମିକା ଜନ୍ମଦିନରେ କେକ୍‌ କାଟିବା ମହଙ୍ଗା ପଡ଼ିଲା, ଖଣ୍ଡା ଚୋଟରେ ଦୁଇ ଯୁବକ ଗୁରୁତର

ମୁଖ୍ୟ ଅଭିଯୁକ୍ତ ଅଟକ 

ବାଲେଶ୍ବର : ପ୍ରେମିକା ଜନ୍ମଦିନରେ କେକ୍‌ କାଟିବାକୁ ଯାଇ ଖଣ୍ଡା ଚୋଟ ଖାଇଛନ୍ତି ଜଣେ ଯୁବକ। ଖଣ୍ଡା ଚୋଟରେ ସଂପୃକ୍ତ ଯୁବକଙ୍କ ସହ ତାଙ୍କ ବନ୍ଧୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସଦର ଥାନା ହଳଦୀପଦା ଫାଣ୍ଡି ଭଣ୍ଡେଶ୍ବର ଗୁଠୁଣାଗଡ଼ିଆ ଅଞ୍ଚଳରେ ଘଟିଛି ଏହି ଘଟଣା। ଗୁରୁତର ଆହତ ଯୁବକଦ୍ବୟ ହେଲେ ଦିଗାପଦା ଅଞ୍ଚଳର କୃଷ୍ଣଗୋପାଳ ମହାପାତ୍ର ଓରଫ କାହ୍ନା ଓ ଅନନ୍ତପୁର ଅଞ୍ଚଳର ସୁରେଶ ଜେନା। ଏ ନେଇ ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ବିକିକୁ ଅଟକ ରଖିଛି।
ପୁଲିସ ସୂଚନା ମୁତାବକ ଆକ୍ରମଣ କରିଥିବା ଯୁବକ (ବିକି)(ଛଦ୍ମନାମ) ସ୍ଥାନୀୟ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ।‌ ହେଲେ କୌଣସି କାରଣକୁ ନେଇ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଆଉ ଏହି ସମୟ ମଧ୍ୟରେ ଯୁବତୀଙ୍କ ସହ କୃଷ୍ଣଗୋପାଳଙ୍କର ବନ୍ଧୁତା ହୋଇଥିଲା। କିନ୍ତୁ ଯୁବତୀ ଓ କୃଷ୍ଣଙ୍କର ଏହି ସଂପର୍କକୁ ସହଜରେ ଗ୍ରହଣ କରିପାରିନଥିଲେ ବିକି। ଯାହାକୁ ନେଇ ୬ ମାସ ତଳେ ବିକି ଓ କୃଷ୍ଣଗୋପାଳଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ମାମଲା ଯାଇ ଥାନାରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଘଟଣାର ସମାଧାନ ହୋଇଥିଲେ ମଧ୍ୟ ବିକି ରାଗରେ ରକ୍ତ ଚାଉଳ ଚୋବାଉଥିଲେ। ରବିବାର ଦିନ ଯୁବତୀଙ୍କ ଜନ୍ମଦିନ ଥିବାରୁ କୃଷ୍ଣଗୋପାଳ ଯୁବତୀଙ୍କ ଘର ନିକଟ ଏକ ସ୍ଥାନରେ କେକ୍‌ କାଟିଥିଲେ। ଆଉ ଏ ଖବର ବିକି କାନରେ ପଡ଼ିବା ପରେ କୃଷ୍ଣଗୋପାଳଙ୍କୁ ପାନେ ଦେବା ପାଇଁ ସହଯୋଗୀଙ୍କ ସହ ଗୁଠୁଣାଗଡ଼ିଆ ନିକଟରେ ଛକି ବସିଥିଲା। ରାତି ପାଖାପାଖି ସାଢ଼େ ୯ଟା ସମୟରେ କୃଷ୍ଣଗୋପାଳ ଓ ତାଙ୍କ ବନ୍ଧୁ ସୁରେଶ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ବାଟରେ ବିକି ଓ ତାର ସହ‌ଯୋଗୀ ଉଭୟଙ୍କୁ ଅଟକାଇ ଖଣ୍ଡା, ଭୁଜାଲିରେ ପ୍ରାଣାନ୍ତକ ଆକ୍ରମଣ କରିଥ‌ିଲେ। ଫଳରେ ଦୁହେଁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଯାଇଥିଲେ। ଖବର ପାଇ ହଳଦୀପଦା ଫାଣ୍ଡି ପୁଲିସ ଘଟଣାସ୍ଥଳରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଇଜଣଙ୍କୁ ଉଦ୍ଧାର କରି ବାଲେଶ୍ବର ବଡ଼ ଡାକ୍ତରଖାନା ପଠାଇଥିଲା। ଏ ନେଇ କୃଷ୍ଣଗୋପାଳଙ୍କ ମା’ ଜାନକୀ ମହାପାତ୍ର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର