ଦାଦନ ଖଟିବାକୁ ଯିବାବେଳେ ବସ ଦୁର୍ଘଟଣା, ଗୋଟିଏ ପରିବାରର ୨ ଶିଶୁ ଆଖିବୁଜିଲେ

ତେନ୍ତୁଳିଖୁଣ୍ଟି : ଦାଦନ ଖଟିବାକୁ ବିଜୟୱାଡା ଯାଉଥିବା ସମୟରେ ବସ ଦୁର୍ଘଟଣାରେ ଗୋଟିଏ ପରିବାର ଦୁଇଜଣ ଶିଶୁ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ମୃତ ଶିଶୁଙ୍କ ପିତାମାତା ଆହତ ହୋଇ ଆନ୍ଧ୍ରପ୍ରଦେଶର ଭଦ୍ରାଞ୍ଚଳମ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ମୃତ ଦୁଇ ଶିଶୁ  ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଂଚାୟତ ଅନ୍ତର୍ଗତ କହେଁଇମୁଣ୍ଡା ଗ୍ରାମର ବୋଲି ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ କହେଁଇମୁଣ୍ଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ କହେଁଇମୁଣ୍ଡା ଗ୍ରାମର ଲକ୍ଷ୍ମଣ ହରିଜନ (୩୦) ବହୁ ବର୍ଷ ଧରି ବାହାର ରାଜ୍ୟରେ ଦାଦନ ଖଟି ପରିବାର ପ୍ରତିପୋଷଣ କରନ୍ତି । ଲକ୍ଷ୍ମଣ କିଛି ମାସ ବ୍ୟବଧାନରେ ନିଜ ଗାଁ କହେଁଇମୁଣ୍ଡା ଆସି ପରିବାର ସହ ସମୟ ବିତାଇ ପୁଣି ଦାଦନ ଖଟିବାକୁ ଯାଇଥାନ୍ତି । ତେବେ ଲକ୍ଷ୍ମଣ ଏକ ସପ୍ତାହ ପୂର୍ବରୁ ନିଜ ଗ୍ରାମ କହେଁଇମୁଣ୍ଡାକୁ ଆସିଥିଲେ । ପ୍ରଥମ ଥର ପାଇଁ ନିଜ ପତ୍ନୀ ସୁକାନ୍ତିଙ୍କ ସମେତ ପୁଅ ଜିତୁ (୫) ଏବଂ ଝିଅ ସୁନୈନା(୨) ଙ୍କୁ ନେଇଁ ବିଜୟୱାଡା ଅଭିମୁଖେ ଏକ ଘରୋଇ ବସରେ ଯାତ୍ରା କରୁଥିଲେ । ତେବେ ଆଜି ଭୋର ୪ଟା ସମୟରେ ମୋଟୁ ଠାରୁ ୨୦ କିଲୋମିଟର ଦୂର ବୁଦୁଗୁଡ଼ୁମ ନିକଟରେ ବସଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ପାଞ୍ଚ ଜଣଙ୍କ ମୃତ୍ୟୁ ବରଣ ହୋଇଥୁବା ସୂଚନା ମିଳିଛି । ସେହିପରି ଦୁର୍ଘଟଣା ରେ ୬ ଜଣ ଗୁରୁତର ହୋଇ ଭଦ୍ରାଚଳମ ଡାକ୍ତରଖାନା ଚିକିତ୍ସା ହେଉଥୁବା ତଥ୍ୟ ହସ୍ତଗତ ହୋଇଛି ! ଏହି ଖବର ଶୁଣି କହେଁଇମୁଣ୍ଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ସମ୍ବନ୍ଧିତ ଖବର