ଟିପର ଧକ୍କାରେ ୨ ବାଇକ ଆରୋହୀ ମୃତ, ୨୬ ନମ୍ବର ଜାତୀୟ ରାଜପଥରେ ଧାରଣା

ଜୟପୁର : ଆଜି ସଂଧ୍ୟା ୬ଟା ବେଳେ ୨୬ ନମ୍ବର ଜାତୀୟ ରାଜପଥର ଜୟପୁର ସ୍ଥିତ ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ନିକଟରେ ଗୋଟିଏ ଟିପ୍ପର ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ କ୍ଷତିପୂରଣ ଦାବିରେ ସ୍ଥାନୀୟ ବାସୀନ୍ଦା ୨୬ ନମ୍ବର ଜାତୀୟ ରାଜପଥରେ ମୃତ ଦେହ ରଖି ଧାରଣା ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ଅଧିକାରୀ ପହଞ୍ଚିଛନ୍ତି।

ସୂଚନା ଅନୁଯାୟୀ, ସ୍ଥାନୀୟ କୁନ୍ଦାରିଗୁଡା ଅଞ୍ଚଳର ଏଣ୍ଡୁଲୁ ଖରା ଏକ  ପଲସର ବାଇକରେ ଟାଉନ ଆଡକୁ ଯାଉଥିଲେ।  ସେହି ସମୟରେ ପାରାବେଡା ଅଞ୍ଚଳର ରାହୁଲ ନାୟକ ନାମକ ମେକାନିକ ସ୍ପେୟାର ପାର୍ଟ ନେଇ ପାରାବେଢ଼ାରେ ଥିବା ଗ୍ୟାରେଜକୁ ଫେରୁଥିଲେ।  ସେହି ସମୟରେ ଗୋଟିଏ ଟିପ୍ପର ‌କୋରାପୁଟରୁ ବୋରିଗୁମ୍ମା ଅଭିମୁଖେ ଯାଉଥିବା ବେଳେ ଦୁଇ ବାଇକ ଆରୋହୀକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଏଣ୍ଡୁଲରୁ ମୃତ୍ୟୁ ଘଟିଥିବା ବେଳେ ରାହୁଲକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଟିପରଟି ପ୍ରଥମେ ଏଣ୍ଡୁଲୁର ବାଇକକୁ ଧକ୍କା ଦେଇ ପରେ ରାହୁଲର ବାଇକକୁ ଅଳ୍ପ ଦୁର ଘୋଷାରି ନେଇଥିଲା। ଘଟଣାସ୍ଥଳରେ ହିଁ ଏଣ୍ଡୁଲୁର ପ୍ରାଣବାୟୁ ଉଡ଼ିଯାଇଥିଲା। ଗୁରୁତର ଅବସ୍ଥାରେ ରାହୁଲକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଟିପ୍ପର ଡ୍ରାଇଭର ଘଟଣା ପରେ  ଫେରାର ହୋଇଯାଇଥିଲା। ଏହି ଖବର ଶୁଣିବା ପରେ ସ୍ଥାନୀୟ ଅଂଚଳବାସୀ ଜମା ହୋଇଯାଇଥିଲେ। ଘଟଣା ଶୁଣି ଲୋକେ ଉତ୍ୟକ୍ତ ହୋଇ ପଡ଼ିଥିଲେ। ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ହେଲଫର   ଉତ୍ତ୍ୟକ୍ତ ଲୋକଙ୍କ ହାବୁଡ଼ରେ ଫଡ଼ିଯାଇଥିଲା। ଲୋକେ ହେଲଫର ଗଣେଶ ଖଡ୍ଡାକୁ ନିସ୍ତୁକ ମାଡ଼ ମାରିଥିଲେ।  ଏଥିରେ ଗଣେଷ ଖଡ୍ଡା ଗୁରୁତର ହୋଇପଡି ଅଚେତ ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ଟାଉନ୍ ପୁଲିସ ତାଙ୍କ ଜିପରେ ସ୍ଥାନୀୟ ଜିଲ୍ଲାମୁଖ୍ୟଚିକିତ୍ସାଳୟରେରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି। ଏହାରି ମଧ୍ୟରେ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ କେହି ଜଣେ ଟିପ୍ପରରେ ନିଆଁ ଲଗାଇ ଦେଇଥିଲା।  କ୍ଷତିପୁରଣ ଦାବିକରି ମୃତ ଦେହକୁ ରାସ୍ତା ଉପରେ ରଖି ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଘଟଣାସ୍ଥଳରେ ଏସ୍‌ଡିପିଓ ଅରୁପ ଅଭିଶେଖ ବେହେରା, ଟାଉନ ଥାନା ଅଧିକାରୀ ବାଲେଶ୍ବର ଗିଦ୍ଧି, ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର ଓ ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନଙ୍କ ସହ  ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କୁ ବୁଝାସୁଝା କରୁଛନ୍ତି।  ସହରର ଗେଟଗୁଡା ଛକରୁ ଟ୍ରାଫିକ ଛକ ପର୍ଯ୍ୟନ୍ତ ବିଭିନ୍ନ ଗ୍ୟାରେଜ୍ ସ୍ପେୟାର ପାର୍ଟସ୍ ଦୋକାନ ରହିଛି। ବହୁ ସମୟରେ ଟ୍ରକ , ବସ ଗୁଡିକ ରାସ୍ତା ଜାମ କରି ରଖୁଛନ୍ତି। ଏହା ସହ ସହର ମଧ୍ୟ ଦେଇ ଜାତୀୟ ରାଜପଥ ଯାଇଥିବାରୁ ବହୁ ଭାରୀଯାନ ଯିବା ଆସିବା କରୁଛି। ଏହା ଫଳରେ ଏଭଳି ଦୁର୍ଘଟଣା ନିୟମିତ ପାଲଟିଛି। ସେଭଳି ପ୍ରସ୍ତାବିତ ବାଇପାସ୍ ରାସ୍ତା ନିର୍ମାଣ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ରିପୋର୍ଟ ଲେଖାହେବା ଯାଏଁ ମରଶରୀରକୁ ଧରି ଲୋକେ ରାସ୍ତା ରୋକ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର