୧ ବର୍ଷ ପରେ ଦୁଇ ଲୁଟେରାଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ

ଖୋର୍ଦ୍ଧା : ଖୋର୍ଦ୍ଧା ନିକଟ ସାରୁଅ ଠାରେ ୨୦୨୧ରେ ଏକ ଦମ୍ପତିଙ୍କୁ ଲୁଟିବା ଘଟଣାରେ ଖୋର୍ଦ୍ଧା ଉପଖଣ୍ଡ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ (ଏସ୍ଡିଜେଏମ୍) ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ସୂଚନାନୁସାରେ, ଜୁନ୍ ୪, ୨୦୨୧ରେ ସିଙ୍ଗରାପଲ୍ଲୀର ସୁରଜ ପଟ୍ଟନାୟକ ଓ ତାଙ୍କ ପତ୍ନୀ ନିବେଦିତା ଭୁବନେଶ୍ୱରରୁ ମୋଟରସାଇକଲରେ ନିଜ ଘରକୁ ଫେରୁଥିଲେ । ସାରୁଅ ନିକଟରେ ଦୁଇଜଣ ଦୁର୍ବୃତ୍ତ ସେମାନଙ୍କୁ ମୋଟର ସାଇକଲରେ ପିଛା କରିବା ସହ ଆକ୍ରମଣ କରି ନିବେଦିତାଙ୍କ ବ୍ୟାଗ୍ ଛଡ଼ାଇନେଇଯାଇଥିଲେ । ଏଥିରେ ମୋବାଇଲ୍ ଫୋନ୍ ଓ ସୁନାଗହଣା ଆଦି ରହିଥିଲା, ଯାହା ମୂଲ୍ୟ ଲକ୍ଷାଧିକ ଟଙ୍କା ଥିଲା । ଏନେଇ ସେମାନେ ବାଘମାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ୪୦/୨୦୨୧ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମୁକୁନ୍ଦପ୍ରସାଦର ମହମ୍ମଦ ଅବ୍ଦୁଲ ଜାମିଲ ଦଳବେହେରାଙ୍କ ପୁଅ ରାଜ ଦଳବେହେରା (୨୨) ଓ ନୟାଗଡ଼ ରଣପୁରର ଇସ୍ଲାମୁଦ୍ଦୀନ ଖାଁ (୨୩)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ୧୦ ଅଗଷ୍ଟ ୨୦୨୧ରେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା । ୯ ସେପ୍ଟମ୍ବର ୨୦୨୧ରେ ସାକ୍ଷୀ ଓ ପ୍ରମାଣର ବିଚାର କରାଯାଇ ଖୋର୍ଦ୍ଧା ଏସ୍ଡିଜେଏମ୍ ନିଜ ରାୟ ସଂରକ୍ଷିତ ରଖିଥିଲେ । ଚଳିତ ମାସ ୧୬ ତାରିଖରେ ଏସ୍ଡିଜେଏମ୍ ସୌଦାମିନୀ ସିଂହ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହାପରେ ଉଭୟଙ୍କୁ ୨ ବର୍ଷ ଜେଲ୍ ଦଣ୍ଡ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର