ପୁଲିସ ଏନକାଉଣ୍ଟରରେ ୨ ଦୁର୍ଦ୍ଦାନ୍ତ ମାଓବାଦୀ ନିହତ

ମୃତ ମାଓବାଦୀଙ୍କ ନାମରେ ୮ ଲକ୍ଷ ଲେଖାଏଁ ପୁରସ୍କାର ଥିଲା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ୨ ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ପୁଲିସ, ଡିଆରଜି ଯବାନ ଏବଂ ବିଏସଏଫ ଯବାନ ସିକସୋଡ ଥାନା ଅଂଚଳର କଡମେ,କଠୋରୀ ନିକଟସ୍ଥ ଜଂଗଲରେ ସର୍ଚ୍ଚ ଅପରେସନ କରିବାକୁ ଯାଇଥିଲେ। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ।ଯବାନଙ୍କ ଗୁଳିର ସାମ୍ନା କରିନପାରି ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ।

ପରେ ଯବାନ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ୨ ମାଓବାଦୀଙ୍କ ଶବ ଜବତ କରିବା ସହ ବନ୍ଧୁକ,ପିସ୍ତଲ,ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରିଥିଲେ। ତେବେ ମୃତ ମାଓବାଦୀଙ୍କ ପରିଚୟ ମିଳିଛି । ଜଣେ ହେଲେ ପରତାପୁର ଏରିଆ କମିଟି ସଚିବ ଦର୍ଶନ ପଦ୍ଦା(୩୨) ଏବଂ ଏକ୍ସନ କମାଣ୍ଡର ରାଜେଶ ସଲାମ(୨୩)। ଏହି ଦୁଇ ମାଓବାଦୀଙ୍କ ନାମରେ ସରକାର ୮ ଲକ୍ଷ ଲେଖାଏଁ ପୁରସ୍କାର ଘୋଷିତ କରିଥିଲେ। ଏହି ଦୁଇ ମୃତ ମାଓବାଦୀଙ୍କ ନାମରେ ବିଭିନ୍ନ ଥାନାରେ ବହୁ ମାମଲା ରହିଥିବା ପୁଲିସ କହିଛି। ଏହି ଦୁଇ ମାଓବାଦୀଙ୍କ ମୃତ୍ୟୁରେ ସଂଗଠନକୁ ଏକ ବଡ ଝଟକା ଲାଗିଥିବା କୁହାଯାଇଛି।ଏବେ ମଧ୍ୟ ଯବାନ ସେହି ଅଂଚଳରେ କୁମ୍ବିଂ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର