ବ୍ରହ୍ମପୁର: ଉତ୍ତରପ୍ରଦେଶର ଗ୍ରେଟର୍‌ ନୋଏଡ଼ା ସ୍ଥିତ ଗୌତମ ବୁଦ୍ଧ ବିଶ୍ବବିଦ୍ୟାଳୟ ଠାରେ ଆଜିଠାରୁ ରାଜ୍ୟଗୋ‌ଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତା ଅାରମ୍ଭ ହୋଇଛି। ଏଥିରେ ଭାରତ ପାଇଁ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ଝିଅ ଜ୍ୟୋତ୍ସ୍ନା ଶବର ପ୍ରଥମ ସ୍ବର୍ଣ୍ଣ ପଦକ ଜିଣିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ଯୁବ ମହିଳା ୪୦କେଜି ବର୍ଗରେ ଅଂଶଗ୍ରହଣ କରିଥିବା ବେଳେ ୫୨କେଜି ସ୍ନାଚ୍, ୬୪କେଜି କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୧୬କେଜି ଭାରୋତ୍ତୋଳନ କରି ପ୍ରଥମ ସ୍ଥାନ ହାସଲ କରିଥିଲେ। ଜ୍ୟୋତ୍ସ୍ନା ଗତ ମାର୍ଚ୍ଚ ମାସରେ ଆଲବେନିଆର ଡୁରେସ୍ ଠାରେ ଅନୁଷ୍ଠିତ ବିଶ୍ବ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ନିଜର ପ୍ରଥମ ଅନ୍ତର୍ଜାତୀୟ ପଦାର୍ପଣ କରି ନିଜ ବର୍ଗରେ ଦୁଇଟି ପଦକ(ଗୋଟିଏ ରୌପ୍ୟ, ଗୋଟିଏ କାଂସ୍ୟ) ପଦକ ହାସଲ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ସେ ୫୩କେଜି ସ୍ନାଚ, ୬୨କେଜି କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୧୫କେଜି ଭାରୋତ୍ତୋଳନ କରି ଏହି ସଫଳତା ହାସଲ କରିଥିଲେ।

Advertisment

ଅନ୍ୟ ଜଣେ ଓଡ଼ିଆ ଝିଅ ଝିଲ୍ଲୀ ଦଳବେହେରା ବରିଷ୍ଠ ମହିଳା ୪୯କେଜି ବର୍ଗରେ ଅଂଶଗ୍ରହଣ କରି ରୌପ୍ୟପଦକ ହାସଲ କରିଛନ୍ତି। ସେ ୭୫କେଜି ସ୍ନାଚ୍, ୯୪କେଜି କ୍ଲିନ୍ ଆଣ୍ଡ ଜର୍କ ମୋଟ ୧୬୯କେଜି ଭାରୋତ୍ତୋଳନ କରି ଦ୍ବିତୀୟ ସ୍ଥାନରେ ରହିବା ସହ ଏହି ସଫଳତା ଲାଭ କରିଛନ୍ତି। ଏହି ପ୍ରତିଯୋଗିତାରେ ଭାରତର ମୋଟ ୫୨ଜଣ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରିଥିବା ବେଳେ ଓଡ଼ିଶାର ମୋଟ ୪ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି।