ସିପକଟାକ୍ରୋ ଖେଳରେ ଗର୍ବ ଓ ଗୌରବ: ଭାରତୀୟ ଦଳରେ ଚାନ୍ଦବାଲିରୁ ୨ ଖେଳାଳୀ ମନୋନୀତ

ଭଦ୍ରକ: ଓଡିଶା ତଥା ଭାରତ ବର୍ଷ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲିର ୨ ଜଣ ଖେଳାଳୀ । ସିପକଟାକ୍ରୋ ଖେଳରେ(ଜୁନିଅର ବିଭାଗରେ) ଆନ୍ତର୍ଜାତୀୟ ସ୍ତରରେ ଏସିଆନ୍ ୟୁଥ୍ ଚମ୍ପିଆନ୍‌ସିପ ପାଇଁ ଓଡିଶାରୁ ୨ ଜଣ ଖେଳାଳୀ ମନୋନୀତ ହୋଇଛନ୍ତି । ମନୋନୀତ ୨ ଜଣ ଖେଳାଳୀ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର । ଆନ୍ତର୍ଜାତୀୟ ଖେଳାଳୀ ଲକ୍ଷ୍ମୀପ୍ରିୟା ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ସ୍ପୋର୍ଟ୍ସ ହଷ୍ଟେଲରେ ରହି ତାଲିମ୍ ନେଉଥିବା ରୁପାଲୀ ସାହୁ ଓ ଅଙ୍କିତା ବେହେରା। ଓଡିଶା ପକ୍ଷରୁ ସେମାନେ ଗୋଆରେ ତାଲିମ ନେଉଥିବା ସମୟରେ ଏହି ଜୁନିୟର ବିଭାଗର ଖେଳାଳୀ ଭାରତୀୟ ଦଳରେ ଖେଳିବା ଲାଗି ଶନିବାର ମନୋନୀତ ହୋଇଥିବା ସୂଚନା ମିଳିଛି । ଏନେଇ ଚାନ୍ଦବାଲିରେ ଖୁସିର ଲହରି ଖେଳି ଯାଇଛି ।

ସୂଚନା ମୁତାବକ, ସିପକଟାକ୍ରୋ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଓଡିଶାରୁ ମାତ୍ର ୩ ଜଣ ଖେଳାଳୀଙ୍କୁ ଆନ୍ତର୍ଜାତୀୟ ସ୍ତରରେ ହେବାକୁ ଥିବା ଏସିଆନ୍ ୟୁଥ୍ ଚମ୍ପିଆନ୍‌ସିପ୍ ପ୍ରତିଯୋଗିତା ପାଇଁ ଏହି ପ୍ରଶିକ୍ଷଣ ନେବାପାଇଁ ମନୋନୀତ କରାଯାଇଥିଲା । ଯୁକ୍ତଦୁଇ ୨ୟ ବର୍ଷର ଛାତ୍ରୀ ଚାନ୍ଦବାଲି ଗୋଲାଡିଆ ଗାଁର ରୁପାଲୀ ସାହୁ, ଯୁକ୍ତତିନି ୩ୟ ବର୍ଷର ଛାତ୍ରୀ ପାଞ୍ଚପଡା ଗାଁର ସୁଷମା ସାହୁ ଓ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀ ଅଙ୍କିତା ବେହେରା ବୋଲି ଜଣାଯାଇଛି । ସୁଷମା ସାହୁଙ୍କ ପରୀକ୍ଷା ରହିଥିବାରୁ ସେ ସୁଯୋଗକୁ ହାତଛଡା ଦେଇଛନ୍ତି । ଜାତୀୟ ସ୍ତରରେ ସେମାନଙ୍କୁ ପ୍ରଶିକ୍ଷଣ ନେଉଥିବା ସମୟରେ ଭାରତୀୟ ଦଳ ପାଇଁ ମନୋନୀତ ହୋଇଥିବା ଜଣାଯାଇଛି । ସେମାନେ ନାଭେଲିମ ଗୋଆର ମନୋହର ପାରିକର ଇଣ୍ଡୋର ଷ୍ଟାଡିୟମରେ ମାର୍ଚ୍ଚ ମାସ ୮ ତାରିଖରୁ ପ୍ରଶିକ୍ଷଣ ନେଉଥିଲେ ।

ଏଠାରେ ସୂଚନା ଥାଉକି, ସିପକଟାକ୍ରୋ ଖେଳରେ ଓଡିଶାର ପ୍ରଥମ କରି ଜୁନିଅର ବିଭାଗର ଲକ୍ଷ୍ମୀପ୍ରିୟା ନାୟକ ୨୦୧୦ ମସିହାରେ ଭାରତୀୟ ଦଳରେ ମନୋନୀତ ହୋଇ ଆନ୍ତର୍ଜାତୀୟ ଖେଳରେ ଅଂଶ ଗ୍ରହଣ କରିଥିଲେ । ସେହିପରି ୨୦୧୭ ମସିହାରେ ମାମୁନି ମହତା ମଧ୍ୟ ଭାରତୀୟ ଦଳରେ ଖେଳିଥିଲେ । ସେହିପତି ଫୁଟବଲରେ ମଧ୍ୟ ୨୦୧୭ ମସିହାରେ ସୁକାନ୍ତି ରାଉଳ ଭାରତୀୟ ଦଳରେ ଆନ୍ତର୍ଜାତୀୟ ଖେଳରେ ଅଂଶ ଗ୍ରହଣ କରିଥିଲେ । ସମସ୍ତେ ଏହି ଚାନ୍ଦବାଲି ଅଞ୍ଚଳର । ଏହି ଖେଳାଳୀମାନେ କେବଳ ଚାନ୍ଦବାଲି ନୁହେଁ ବରଂ ଭାରତରେ ଗର୍ବ ଓ ଗୌରବ । ସିପକଟାକ୍ରୋ ସଂଘର ଜିଲ୍ଲା ସମ୍ପାଦକ ଆଇନ୍‌ଜୀବି ପ୍ରଭାସ ରଞ୍ଜନ ମହାନ୍ତି, ତ୍ରିଲୋଚନ ଦାଶ, ରେଫେରୀ ସୁଶାନ୍ତ କୁମାର ବିଶ୍ୱାଳ, କୋଚ୍ ଲକ୍ଷ୍ମୀପ୍ରିୟା ନାୟକ, ବାସୁଦେବ ଦାସ, ଚିନ୍ମୟ ରାୟ ଓ ଜିଲ୍ଲା ସିପକଟାକ୍ରୋ ସଂଘର କୋଷାଧ୍ୟକ୍ଷ ଅମୁଲ୍ୟ କୁମାର ରାୟ, ଜଗମୋହନ ସାହୁ, ରାଇଚାନ୍ଦ ମହାରଣା, ତୁଷାର ରଞ୍ଜନ ମହାରଣା ପ୍ରମୁଖ ଏହି ପ୍ରତିଭାମାନଙ୍କର ଉତ୍ତୋରୋତ୍ତର ଉନ୍ନତି କାମନା କରିଛନ୍ତି ।

ସମ୍ବନ୍ଧିତ ଖବର