ଝାରସୁଗୁଡ଼ା: ଜିଲ୍ଲା ଖାଉଟି ଅଦାଲତ ବୁଧବାର ୨ଟି ମାମଲାର ବିଚାର କରି ସେବା ପ୍ରଦାନରେ ବିଫଳ ହୋଇଥିବା ଦୁଇଜଣ ଦୋକାନୀଙ୍କୁ ଦଣ୍ଡିତ କରିଛନ୍ତି। ପ୍ରଥମ ଘଟଣାରେ ବ୍ରଜରାଜନଗର ଥାନା ନୂଆଡିହିର ସୁନୀଲ ସାହୁ ୧୫ ମେ ୨୦୧୭ରେ ବ୍ରଜରାଜନଗରରେ ଥିବା କ୍ବାଲିଟି ଟ୍ରେଡର୍ସ ନିକଟରୁ ଜାକ୍‌ସନ ସୋଲାର ପାୱାର ଜେନେରେସନ୍‌ ସିଷ୍ଟମ୍‌ର ସୋଲାର ସିଷ୍ଟମ୍‌ କିଣିଥିଲେ। ଏଥିପାଇଁ ସେ ସାଢ଼େ ୭ ଲକ୍ଷ ଟଙ୍କା ଦେଇଥିଲେ। ଉକ୍ତ ସିଷ୍ଟମ୍‌ରେ ଦେଇଥିବା ବ୍ୟାଟେରିର ୱାରେଣ୍ଟି ୫ ବର୍ଷ ରହିଥିଲା। ୨୫ ସେପ୍ଟେମ୍ବର ୨୦୨୧ରୁ ବ୍ୟାଟେରି ଆଉ ବ୍ୟାକ୍‌ଅପ୍‌ ନ ଦେବାରୁ ସେ ଦୋକାନୀଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ କମ୍ପାନି ଏହାକୁ ଗ୍ରହଣ କରୁନଥିବାରୁ ଦୋକାନୀ ବି ହାତ ଟେକି ଦେଇଥିଲେ। ଶେଷରେ ଶ୍ରୀ ସାହୁ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଅଦାଲତ ଏହି ମାମଲାର ବିଚାର କରି ଉଭୟ କମ୍ପାନି ଓ ଦୋକାନୀଙ୍କୁ ଦଣ୍ଡିତ କରିଥିବା ବେଳେ ମାସେ ଭିତରେ ଅଭିଯୋଗକାରୀଙ୍କୁ ବ୍ୟାଟେରି ବାବଦକୁ ୧ ଲକ୍ଷ ୨୬ ହଜାର ଟଙ୍କା ଫେରାଇବାକୁ , ୨୦ ହଜାର ଟଙ୍କା ମାନସିକ ଯନ୍ତ୍ରଣା କ୍ଷତିପୂରଣ ବାବଦକୁ ଓ ୧୦ ହଜାର ଟଙ୍କା ମାମଲା ଖର୍ଚ୍ଚ ବାବଦକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟ ଏକ ମାମଲାରେ ଝାରସୁଗୁଡ଼ା ପାହାଡ଼ିମନ୍ଦିର ପଡ଼ାର ମୀନା ସୋନି ବମ୍ବେ ଛକସ୍ଥିତ ନେହା ଇଲେକ୍ଟ୍ରୋନିକ୍ସରୁ ଗତବର୍ଷ ଅକ୍ଟୋବର ୩୦ ତାରିଖରେ ୨୫,୨୫୦ ଟଙ୍କା ଦେଇ ସିସିଟିଭି କ୍ୟାମେରା ଓ ହାର୍ଡ ଡିସ୍କ କିଣିଥିଲେ। କିନ୍ତୁ ୪ ମାସର ବ୍ୟବହାର ପରେ ସିସିଟିଭି କ୍ୟାମେରା ଆଉ କାମ କରିନଥିଲା। ଏନେଇ ସେ ଗତ ୨୨ ମାର୍ଚ୍ଚରେ ଦୋକାନୀଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ୱାରେଣ୍ଟି ଅବଧି ଥାଇ ମଧ୍ୟ ଦୋକାନୀ ଏହାର ମରାମତି କରିନଥିଲେ। ନିରାଶ ହୋଇ ଅଭିଯୋଗକାରୀ ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ। ଅଦାଲତ ଉକ୍ତ ମାମଲାର ବିଚାର କରି ୧ ମାସ ମଧ୍ୟରେ ଅଭିଯୋଗକାରୀଙ୍କୁ ନୂତନ ସିସିଟିଭି ପ୍ରଦାନ କରିବାକୁ ନଚେତ୍‌ ୨୫,୨୫୦ ଟଙ୍କା ଫେରସ୍ତ କରିବାକୁ ଦୋକାନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ୧୦ ହଜାର ଟଙ୍କା ମାନସିକ ଯନ୍ତ୍ରଣା କ୍ଷତିପୂରଣ ବାବଦକୁ ଓ ୫ ହଜାର ଟଙ୍କା ମାମଲା ଖର୍ଚ୍ଚ ବାବଦକୁ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଖାଉଟି ଅଦାଲତର ସଭାପତି ଜିଗୀଷା ମିଶ୍ର ଓ ସଦସ୍ୟ ଅଞ୍ଜୁ ଅଗ୍ରୱାଲ ମାମଲାର ଶୁଣାଣି କରିଥିଲେ।