‘ବେଲ ପାଚିଲେ କାଉର କି ଯାଏ’: ଦୁଇ ଜିଲ୍ଲାରେ ରହିଛି ଦୁଇଟି ରାସନକାର୍ଡ ତଥାପି ଚାଉଳ ପାଇବାରୁ ବଞ୍ଚିତ

ଭଞ୍ଜନଗର: ଗରିବ ଅସହାୟ ଲୋକଙ୍କ ପାଇଁ ଯେତେ ସବୁ ସରକାରୀ ଯୋଜନା। ସେମାନଙ୍କ ବିକାଶକୁ ନେଇ ଚାଲେ ରାଜନୀତି। ସେମାନଙ୍କ ଆର୍ଥିକ ସାମାଜିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ମାଳ ମାଳ ଯୋଜନା ହେଉଥିବାବେଳେ ତାକୁ ପାଥେୟ କରି ନିର୍ବାଚନ ବୈତରଣୀ ପାର ହୁଅନ୍ତି ରାଜନେତା। ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଗ୍ରାମାଞ୍ଚଳ ରାଜନୈତିକ ବାତାବରଣ ବେଶ ଚଳଚଞ୍ଚଳ। କିନ୍ତୁ ଅପହଞ୍ଚ ଓ ଦୁର୍ଗମ ଇଲାକାରେ ରହୁଥିବା ଅଭାବୀ ମଣିଷ ପାଖରେ ନିର୍ବାଚନୀ ମାହୋଲ ତୁଚ୍ଛ ସଦୃଶ। ‘ବେଲ ପାଚିଲେ କାଉର କି ଯାଏ’ ନ୍ୟାୟରେ ନିର୍ବାଚନ ଆସିଲେ କି ସରିଲେ ସେମାନଙ୍କ ଉପରେ ବିଶେଷ ଫରକ ପଡେନି। ସେମାନଙ୍କ ସ୍ଥିତିରେ ବିଶେଷ ପରିବର୍ତ୍ତନ ହୁଏନି। ପୂର୍ବ ଭଳି ପ୍ରତିଦିନ ବଞ୍ଚିବା ପାଇଁ ଚାଲେ ସଂର୍ଘଷ। ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି ଭଞ୍ଜନଗର ବ୍ଳକ୍ ଡୁମାକୁମ୍ପା ପଞ୍ଚାୟତର ଡିହକୁମ୍ପାପଲ୍ଲୀ ଗ୍ରାମରୁ। ଗ୍ରାମକୁ ଯିବା ପାଇଁ ଭଲ ରାସ୍ତା ନଥିବା ବେଳେ ବିଲ ହୁଡା ହିଁ ନିତିଦିନିଆ ରାସ୍ତା ପାଲଟିଛି।

ଏଠାରେ ବସବାସ କରୁଥିବା ଅନେକ ବୃଦ୍ଧବୃଦ୍ଧା ଦୀର୍ଘଦିନ ଧରି ସେମାନଙ୍କ ଭତ୍ତା ପାଇଁ ଦାବି କରି ଆସୁଥିଲେ ମଧ୍ୟ ହୋଇପାରୁ ନଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏଭଳି ଜଣେ ବୃଦ୍ଧା ହେଉଛନ୍ତି ଗ୍ରାମର ସ୍ବର୍ଗତ ଭଜରାମ ଗନ୍ତାୟତଙ୍କ ପତ୍ନୀ ଉମା ଗନ୍ତାୟତ | ତାଙ୍କ ନିକଟରେ ଥିବା ଆଧାରକାର୍ଡ ଅନୁଯାୟୀ ତାଙ୍କୁ ବର୍ତ୍ତମାନ ବୟସ ୭୬ ହୋଇଥିବା ବେଳେ ବାରମ୍ବାର ନିବେଦନ କରିବା ସତ୍ତ୍ବେ ଭତ୍ତା ମିଳିପାରୁନଥିବା ସେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ତାଙ୍କ ଗୋଟିଏ ପୁଅ ରହିଥିବା ବେଳେ ସେ ବୁଢୀ ମାକୁ ଘରେ ଏକାକୀ ଛାଡି ଦାଦନ ଖଟିବାକୁ ବାହାରକୁ ପଳାଇଥିବା କହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ତାଙ୍କ ନିକଟରେ ଦୁଇଟି ରାସନ କାର୍ଡ ରହିଥିଲେ ମଧ୍ୟ ସରକାରୀ ଯୋଗାଣ ଚାଉଳ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ପାଉନଥିବା ଅଭିଯୋଗ କରିଛନ୍ତି।

ଦୁଇଟି ରାସନ କାର୍ଡ ଦୁଇଟି ଭିନ୍ନ ଜିଲ୍ଲାର ଗୋଟିଏ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟଟି କନ୍ଧମାଳ ଜିଲ୍ଲାର। କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକର ଗଞ୍ଜାମ-କନ୍ଧମାଳ ସୀମାନ୍ତ ବଡ ଇନ୍ଦ୍ରଗଡ ଗ୍ରାମରେ ନିଜ ନାମରେ ରାସନ କାର୍ଡ ରହିଥିବା ବେଳେ ଡିହକୁମ୍ପାପଲ୍ଲୀରେ ତାଙ୍କ ବୋହୂଙ୍କ ନାମରେ ଥିବା ରାସନକାର୍ଡର ତାଲିକାରେ ମଧ୍ୟ ଉମାଙ୍କ ନାମ ରହିଛି। ଦୁଇଟି ଯାକ ରାସନକାର୍ଡ ଗତ ୨୦୧୫ ମସିହାରେ ମିଳିଥିବା ବେଳେ ଏହି କାର୍ଡରୁ ସେ ରାସନ କେବେ ନେଇଛନ୍ତି ନା ନାହିଁ ସ୍ପଷ୍ଟ ଭାବେ କହି ପାରିନାହାନ୍ତି। ଘରେ ସେ ଏକୁଟିଆ ରହୁଥିବା ବେଳେ କୌଣସି ସରକାରୀ ସୁବିଧା ମିଳୁନଥିବା ଅଭିଯୋଗ କରିଛନ୍ତି। ତାଙ୍କ ଆଖିକୁ ଭଲ ଭାବେ ଦେଖା ଯାଉନଥିବା ବେଳେ ନିଜେ କିଛି କରିବା ପାଇଁ ସକ୍ଷମ ନଥିବାରୁ ସାହିବାସିନ୍ଦାଙ୍କ ଆଶ୍ରାରେ ବଞ୍ଚୁଥିବା ପ୍ରକାଶ କରିଛନ୍ତି। ପ୍ରତିଦିନ ପାଖ ପଡୋଶୀ ଖାଇବା ପାଇଁ ଦେଲେ ଖାଉଥିବା କହିଛନ୍ତି ଉମା। ଉମାଙ୍କ ଭଳି ଗ୍ରାମର ସୀମାଞ୍ଚଳ ଗନ୍ତାୟତ,ତ୍ରିପୂରା ନାଏକ,ମୋଚିଆ ପରିଚ୍ଛା,ପରମ ପରିଚ୍ଛା ଏବଂ ଶିଶୁଳା ନାଏକଙ୍କ ମଧ୍ୟ ଭତ୍ତା ହୋଇ ପାରିନଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର