ରାଉରକେଲା : ମହାମାରୀ କରୋନାରେ ବିନା ପରୀକ୍ଷାରେ ଶତ ପ୍ରତିଶତ ଯୁକ୍ତ ଦୁଇ ଛାତ୍ରଛାତ୍ରୀ ପାସ୍‌ କଲେ। ବିକଳ୍ପ ପଦ୍ଧତିରେ ପ୍ରକାଶ ପାଇଥିବା ରେଜଲ୍ଟରେ ଉଭୟ ରେଗୁରାଲ୍‌ ଓ ଏକ୍ସରେଗୁରାଲ୍‌ ଛାତ୍ରଛାତ୍ରୀଙ୍କୁ ପାସ୍‌ କରିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର କାର୍ଯ୍ୟରତ ବିଭାଗୀୟ ଅଧିକାରୀଙ୍କ ତ୍ରୁଟି ଯୋଗୁଁ ପ୍ରଥମେ ପାସ୍‌ କରିଥିବା ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ଏକ୍ସରେଗୁରାଲ୍‌ ଛାତ୍ରଛାତ୍ରୀ ମାସେ ପରେ ଫେଲ୍‌ ହୋଇଗଲା। ଉଚ୍ଚ ମାଧ୍ୟମିକ ପରିଷଦର ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ନେଇ ଏକ୍ସରେଗୁରାଲ୍‌ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରାଉରକେଲାରେ ପ୍ରାୟ ଦେଢ଼ ଶହରୁ ଅଧିକ ଛାତ୍ରଛାତ୍ରୀ ଏପରି ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ସମାଧାନ ପାଇଁ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ କଲେଜର ଅଧ୍ୟକ୍ଷଙ୍କୁ ଅନୁରୋଧ କରିଛନ୍ତି। କଲେଜ ଅଧ୍ୟକ୍ଷମାନେ ‘ଆମ ହାତରେ କିଛି ନାହିଁ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟି ଆକର୍ଷଣ କରନ୍ତୁ ବୋଲି କହି କାମ ସାରି ଦେଉଛନ୍ତି। ପ୍ରତିବାଦରେ ଆଜି ଉଦିତନଗର ମ୍ୟୁନିସିପାଲ କଲେଜର ୩୦ରୁ ଅଧିକ ଯୁକ୍ତଦୁଇ ଏକ୍ସରେଗୁରାଲ ଛାତ୍ରଛାତ୍ରୀ କଲେଜରେ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକଳ୍ପ ପଦ୍ଧତିରେ ଫେଲ୍‌ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପାସ୍‌ କରିବାକୁ ଦାବି କରିଛନ୍ତି। ସମାଧାନର ବାଟ ନ ବାହାରିଲେ ସହର ସମସ୍ତ କଲେଜର ଛାତ୍ରଛାତ୍ରୀ ଏକାଠି ହୋଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି। ଗତ ୩୧ ଅଗଷ୍ଟରେ ଯୁକ୍ତ ଦୁଇ ଏକ୍ସରେଗୁରାଲ୍‌ ବାଣିଜ୍ୟ ଓ ବିଜ୍ଞାନର ଫଳ ପ୍ରକାଶ ପାଇଥିଲା। ମ୍ୟୁନିସିପାଲ୍ କଲେଜର ଅବିନାଶ ସଏ ପ୍ରଥମେ ପାସ୍‌ କରିଥିଲେ। ତାଙ୍କର ମୋଟ ନମ୍ବର ରହିଥିଲା ୨୨୮। ମାସକ ପରେ ଅର୍ଥାତ୍‌ ଗତ ୨ରେ ଯେଉଁ ଫଳ ପ୍ରକାଶ ପାଇଥିଲା ସେଥିରେ ଫେଲ୍‌ ହୋଇଛନ୍ତି। ପୂର୍ବରୁ ପାଇଥିବା ମୋଟ ମାର୍କ ୨୨୮ ପରିବର୍ତ୍ତେ ୨୦୭ ରହିଛି। ଅସୀମା ଡୁଙ୍ଗଡୁଙ୍ଗ ପ୍ରଥମେ ପାଇଲେ ୨୯୦ ନମ୍ବର ପାସ୍‌ କରିଥିଲେ। ପରେ ତାଙ୍କୁ ମିଳିଛି ୨୪୭ ଅର୍ଥାତ୍‌ ଫେଲ୍‌ ହୋଇଛନ୍ତି। ସେମିତି ରାହୁଲ କୁମାର ମିଶ୍ରଙ୍କୁ ପ୍ରଥମେ ୨୨୫ ନମ୍ବର ମିଳିଥିଲା। ପରେ ତାଙ୍କୁ ୧୯୭ ନମ୍ବର ମିଳିଛି। ଶତାଧିକ ଛାତ୍ରଛାତ୍ରୀଙ୍କୁ ଏମିତି କରାଯାଇଛି।

Advertisment