ହାତ ଧରାଧରି ହୋଇ ବ୍ରିଜ୍ ଉପରୁ ନଦୀକୁ ଡେଇଁ ପଡ଼ିଲେ ଦୁଇ ଭଉଣୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ତେଲ ନଦୀ ବ୍ରିଜ୍‌ ଉପରୁ ଗୁରୁବାର ଅପରାହ୍ନରେ ୨ଜଣ ଭଉଣୀ ନଦୀକୁ ହାତ ଧରାଧରି ହୋଇ ଡେଇଁ ପଡ଼ିଛନ୍ତି। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ‌ଲୋକ ତୁଷୁରା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ତୁଷୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଗ୍ନିଶମ କର୍ମଚାରୀ ନଦୀ ଭିତରୁ ନିଖୋଜ ଦୁଇ ଭଉଣୀଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ କହିବାନୁସାରେ ଆଜି ମଧ୍ୟାହ୍ନ ସମୟରେ ୨ଜଣ ଯୁବତୀ ଏକ ଧଳାରଙ୍ଗର ସ୍କୁଟିରେ ଆସି ବ୍ରିଜ ଉପରେ ପହଞ୍ଚିଥିଲେ। କିଛି ସମୟ ବ୍ରିଜ ଉପରେ ଛିଡ଼ା ହେବା ପରେ କେହି କିଛି ବୁଝିବା ପୂର୍ବରୁ ଦୁହେଁ ଚପଲ ରଖି ହାତ ଧରାଧରି ହୋଇ ନଦୀକୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ଯୁବତୀଙ୍କୁ ଅଟକାଇବା ପୂର୍ବରୁ ଦୁହେଁ ନଦୀକୁ ଡେଇଁ ପାଣି ସ୍ରୋତରେ କେଉଁଆଡେ ନିଖୋଜ ହୋଇ ଯାଇଥିଲେ।

ଅପରପକ୍ଷେ ଡେଇଁ ପଡ଼ିଥିବା ଯୁବତୀଙ୍କ ସମ୍ପର୍କୀୟ ସେଠାରେ ପହଞ୍ଚି ସେମାନେ ୨ ଭଉଣୀ ଓ ସେମାନଙ୍କ ଘର ଗୁଡ଼ଭେଲା ଅଞ୍ଚଳରେ ବୋଲି ସୂଚନା ଦେଇଥିଲେ। ଉଭୟଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଦୁଇ ଭଉଣୀ ଏପରି ପଦକ୍ଷେପ କାହିଁକି ନେଇଥିଲେ ତାହାର କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।
ବ୍ରିଜ ଉପରେ ଥିବା ସ୍କୁଟି ନମ୍ବରରୁ ଜଣାପଡ଼ିଛି କି ଏହି ଗାଡ଼ିଟି ରାମୋତାର ଅଗ୍ରୱାଲଙ୍କ ନାଁରେ ରହିଛି । ସ୍କୁଟିଟି କଳାହାଣ୍ଡି ଜିଲ୍ଲାରେ  ରେଜିଷ୍ଟେସନ୍ କରାଯାଇଛି।

ସମ୍ବନ୍ଧିତ ଖବର