ଅଧୁରା ରହିଗଲା ପାଠପଢ଼ା ଆଶା…ଟ୍ରକ୍ ଧକ୍କାରେ ସ୍କୁଲଛାତ୍ରୀଙ୍କ ସମେତ ୨ ମୃତ

ଆଶ୍ରମ ସ୍କୁଲରେ ନାଁ ଲେଖାଇ ଫେରୁଥିବା ବେଳେ ଅଘଟଣ

ରାୟଗଡ଼ା : ଝିଅକୁ ପାଠ ପଢ଼ାଇବା ପାଇଁ ସ୍କୁଲରେ ନାମ ଲେଖାଇବାକୁ ଆସିଥିଲେ। ନାମ ଲେଖାଇ ଫେରୁଥିବା ବେଳେ ରାୟଗଡ଼ା-ବିଶାଖାପାଟଣା ରାସ୍ତାର ମଝିଘରିଆଣି ମନ୍ଦିର ବ୍ରିଜ୍ ନିକଟରେ ଟ୍ରକ୍ ଧକ୍କାରେ ସ୍କୁଲ୍ ଛାତ୍ରୀ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଇନ୍ଦୁ ତାଡିଙ୍ଗ୍ (୬) ଓ ସନ୍ତୋଷ ତାଡିଙ୍ଗ୍ (୩୫)। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଅନ୍ୟ ଜଣେ ସ୍କୁଲ୍ ଛାତ୍ରୀ ଓ ଅଭିଭାବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ରାୟଗଡ଼ା ବ୍ଲକ୍ ବୈରାଗୀହାଲୁଆ ପଞ୍ଚାୟତ ଉମରବାଲି ଗ୍ରାମର ସନ୍ତୋଷ ତାଡିଙ୍ଗ୍ ଓ ରାଇସିଂ ତାଡିଙ୍ଗ୍ ନିଜର ଦୁଇ ଝିଅଙ୍କୁ ପାଠ ପଢ଼ାଇବା ପାଇଁ ନାମ ଲେଖାଇବାକୁ ମାଲିଗାଁ ଆଶ୍ରମ ସ୍କୁଲକୁ ଆସିଥିଲେ। ସ୍କୁଟି ଯୋଗେ ଉଭୟ ଅଭିଭାବକ ନିଜ ଝିଅକୁ ନେଇ ସ୍କୁଲରେ ପହଞ୍ଚି ନାମ ଲେଖାଇବା ପରେ ମଧ୍ୟାହଣରେ ଗାଁକୁ ଫେରୁଥିଲେ। ଏହି ସମୟରେ ବିଶାଖାପାଟଣାରୁ ରାୟଗଡ଼ା ଅଭିୁମଖେ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଓଡି୧୮ଏ-୫୧୮୭ ସ୍କୁଟିକୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କାରେ ସ୍କୁଟିଟି ସଂପୂର୍ଣ୍ଣ ଭାବେ ଚୁରମାର ହୋଇଯିବା ସହ ଘଟଣାସ୍ଥଳରେ ସ୍କୁଲ୍ ଛାତ୍ରୀ ଇନ୍ଦୁ ତାଡ଼ିଙ୍ଗର ମୃତ୍ୟୁ ହୋଇଥିଲା। ଅନ୍ୟ ୩ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେସଂଧ୍ୟାରେ ଅଭିଭାବକ ସନ୍ତୋଷ ତାଡ଼ିଙ୍ଗଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା ପୁଲିସ୍ ଦୁର୍ଘଟଣାଗସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାରକୁ ଗାଡ଼ି ମାଲିକ ଓ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର