ଜୟପୁର: ଆଜି ଅପରାହ୍ନରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରୁ ଛତିଶଗଡର କିରନ୍ଦୁଲ ଯାଉଥିବା ବିଶାଖାପାଟଣା କିରନ୍ଦୁଲ ପାସେଞ୍ଜର ଟ୍ରେନ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବତ୍ତିଯାଇଥିଲା। ଏହି ଟ୍ରେନ କୋରାପୁଟର ଜୟପୁର ନିକଟ ଉମୁରି ବ୍ରିଜ ନିକଟରେ ଲାଇନଚ୍ୟୁତ ହୋଇଥିଲା | ତେବେ ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଦୁଇ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି | ସେକ୍ସନ ଇଂଜିନିୟର ଓ ଗ୍ୟାଂଗମ୍ୟାନଙ୍କୁ ନିଲମ୍ବନ କରାଯାଇଛି ବୋଲି ଡିଆରଏମ(ଡ଼ିଭିଜନାଲ ରେଲୱେ ମ୍ୟାନେଜର) ସୂଚନା ଦେଇଛନ୍ତି |

Advertisment

ଡିଆରଏମଙ୍କ ସୂଚନା ମୁତାବକ ଏହି ଅଘଟଣ ଦିନ ୩.୦୫ ମିନିଟରେ ଘଟିଥିଲା | କୋରାପୁଟରୁ ବୈଷୟିକ ଟିମ ଆସିବା ପରେ ବଗିକୁ ସ୍ବାଭାବିକ କରିବାକୁ ଉଦ୍ୟମ ହେବ।ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଜୟପୁର ଷ୍ଟେସନରେ ରଖାଯାଇଛି।କୌଣସି ଟ୍ରେନକୁ ବାତିଲ କରାଯାଇନାହିଁ କି କାହାର ସମୟ ମଧ୍ୟ ପରିବର୍ତ୍ତନ କରାଯାଇନାହିଁ।

ଉଲ୍ଲେଖ ଥାଉ କି ଜୟପୁର-ଛତ୍ରିପୁଟ ଷ୍ଟେସନ ମଧ୍ୟରେ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିଲାବେଳେ ଦୁର୍ଘଟଣାରେ କାହାର କ୍ଷୟକ୍ଷତି ହୋଇନଥିଲା | ଲାଇନଚ୍ୟୁତ ହୋଇଥିବା ୪ଟି ବଗି ମଧ୍ୟରୁ ଗୋଟିଏ ସ୍ଲିପର କୋଚ ଥିବାବେଳେ ଅନ୍ୟ ତିନିଟି ଜେନେରାଲ କୋଚ ଥିଲା |