ମାଲକାନଗିରି: ଛାତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ, ସହକାରୀ ଶିକ୍ଷକ ଗିରଫ

ମାଲକାନଗିରି: ବିଭିନ୍ନ ଜିଲ୍ଲାରେ ଛାତ୍ରୀମାନଙ୍କ ଉପରେ ହେଉଥିବା ନିର୍ଯାତନାର ସ୍ୱର ଥମି ନ ଥିବା ବେଳେ ଆଜି ମାଲକାନଗିରିରୁ ଅନୁରୁପ ଏକ ଅଭିଯୋଗ ଆସିଛି। ଏକ ସେବଶ୍ରମର ୭ମ ଶ୍ରେଣୀରେ ପଢ଼ିବା ସହିତ ଛାତ୍ରୀନିବାସରେ ରହୁଥିବା ଛାତ୍ରୀମାନଙ୍କୁ ଜୋର ଜବରଦସ୍ତ ହଷ୍ଟେଲ ଛାତ ଉପରକୁ ନେଇ ଅସଦାଚରଣ କରିବା ଅଭିଯୋଗରେ ଆଜି ମାଲକାନଗିରି ପୁଲିସ ସମ୍ପୃକ୍ତ ସେବାଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ ଓ ଅନ୍ୟ ଜଣେ ସହକାରୀ ଶିକ୍ଷକଙ୍କୁ ଗିରଫ କରିଛି। ସରକାର ମଧ୍ୟ ଏହି ଦୁଇଜଣ ଶଷିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି।
ମିଳିଥିବା ଅଭିଯୋଗରୁ ପ୍ରକାଶ ଯେ, ମାଲକାନଗିରି ଜିଲ୍ଲା ମାଲକାନଗିରି ବ୍ଲକ୍‌ ଅନ୍ତର୍ଗତ ମାଲକାନଗିରି ବ୍ଲକ୍‌ର ଡଙ୍ଗଲା ସେବାଶ୍ରମର ପ୍ରଧାନଶିକ୍ଷକ ପ୍ରଭାତ କିରଣ ଲାକ୍ରା ଓ ସହକାରୀ ଶିକ୍ଷକ ଅଜୟ କୁମାର ଦାସ ହଷ୍ଟେଲରେ ରହୁଥିବା ଛାତ୍ରୀମାନଙ୍କୁ ମଦ ପିଇ ଅସଦାଚରଣ କରୁଥିବାନେଇ ଅଭିଯୋଗ ହୋଇଥିଲା। ଏପରିକି ଶିକ୍ଷକଦ୍ୱୟଙ୍କ ଅତ୍ୟାଚାରରେ ଅତିଷ୍ଟ ହୋଇ ଜଣେ ଛାତ୍ରୀ ହଷ୍ଟେଲ ଛାଡ଼ିିବା ସହିତ ପାଠ ପଢ଼ା ମଧ୍ୟ ଛାଡ଼ି ଦେଇଥିଲେ। ତେବେ ବାରମ୍ବାର ଶିକ୍ଷକଦ୍ୱୟ ଛାତ୍ରୀମାନଙ୍କୁ ଛାତ ଉପରକୁ ନେଇ ଅସଦାଚରଣ କରୁଥିବା ନେଇ ଛାତ୍ରୀମାନେ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବେ ଗୋପନରେ ଜଣାଇଥିଲେ। ଏହା ପରେ ଜିଲ୍ଲା ପ୍ରଶାସନ ତଦନ୍ତ କରି ଘଟଣାର ସତ୍ୟତା ଥିବା ଜାଣିପାରିଥିଲେ। ତେଣୁ ଆଜି ପ୍ରଧାନଶିକ୍ଷକ ଶ୍ରୀ ଲାକ୍ରା ଓ ସହକାରୀ ଶିକ୍ଷକ ଶ୍ରୀ ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ସହିତ ଏ ନେଇ ମାଲକାନଗିରି ଥାନାରେ ଅଭିଯେଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ପୁଲିସ ଶିକ୍ଷକଦ୍ୱୟଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର