ଆନନ୍ଦପୁର: କେନ୍ଦୁଝର ଆନନ୍ଦପୁରରେ ଗଣେଶ ଭସାଣି ଉତ୍ସବ ଚାଲିଥିବାବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି l ଉଭୟ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହେବାରୁ ଦୁଇରୁ ଉର୍ଦ୍ଧ୍ବ ଆହତ ହୋଇଥିବାବେଳେ ପୁଲିସ ଜଣଙ୍କୁ ଅଟକ ରଖିଛି l ସୂଚନା ଅନୁସାରେ ଆଜି ଫ୍ରେଣ୍ଡସ୍ କ୍ଲବ ଓ ସ୍ପାଇସ କ୍ଲବର ଭସାଣି ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା l ଏଥିପାଇଁ ଏସଡିପିଓ ପ୍ରଶାନ୍ତ କୁମାର ବେହେରାଙ୍କ ନେତୃତ୍ବରେ ଉପଖଣ୍ଡର ସମସ୍ତ ଥାନା ଅଧିକାରୀଙ୍କ ଉପସ୍ଥିତିରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା |

Advertisment

ରାତି ପ୍ରାୟ ସାଢେ ନଅଟା ସମୟରେ ଆନନ୍ଦପୁର ଥାନା ସମ୍ମୁଖରେ ପୂର୍ବ ନିର୍ଦ୍ଧାରିତ ସମୟକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା l ପୂର୍ବରୁ ଭସାଣି ଶୋଭାଯାତ୍ରା ଠିକ୍ ଠାକ୍ ଚାଲିଥିବାବେଳେ ଗଣ୍ଡଗୋଳ ପରେ ଲୋକମାନେ ଛିନ୍ନଛତ୍ର ହୋଇ ପଳାଇଥିଲେ l ତେବେ ଗୋଟିଏ ଦିନରେ ଦୁଇଟି କ୍ଲବକୁ ଭସାଣି ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦେବାକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ନେଇ ଆଲୋଚନା ହେଉଛି |