କୋରାପୁଟ: ସହିଦ ଲକ୍ଷ୍ମଣ ନାୟକ ହସ୍ପିଟାଲକୁ ଯାଉଥିଲେ ସାବଧାନ। ଏଠାରେ ମାତିଛନ୍ତି ବାଇକ୍ ଚୋର। ଆଖି ପିଛୁଳାକେ ବାଇକ୍ ଲକ୍ ଭାଙ୍ଗି ନେଇଯାଉଛନ୍ତି। ନମ୍ବର ବଦଳାଇ କୋରାପୁଟରୁ ନବରଙ୍ଗପୁରକୁ ଜୟପୁର ଦେଇ ଚାଲାଣ କରୁଛନ୍ତି। ଏହା ପଛରେ ଗୋଟିଏ ଗ୍ୟାଙ୍ଗ କାମ କରୁଥିବା ବେଳେ ପୁଲିସ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ହେଲେ ପୂଜାରୀପୁଟ ଅଞ୍ଚଳର ହେରେକୃଷ୍ଣ ପାଣିଗ୍ରାହୀଙ୍କ ପୁଅ ଅଜିତ(୩୦) ଓ କକନ ବଢେଇଙ୍କ ପୁଅ ଚନ୍ଦନ(୨୧)। ଏମାନଙ୍କ ପାଖରୁ ୬ ଟି ବାଇକ ଜବତ ହୋଇଛି। ଜବତ ଗାଡି ମଧ୍ୟରେ ଗୋଟିଏ ହୋଣ୍ଡା ୟୁନିକର୍ଣ୍ଣ(ଓଡି-୩୦ବି-୫୦୪୩), ଗୋଟିଏ ହିରୋ ଏଚଏଫ ଡିଲକ୍ସ (ଓଡି-୧୦ଇ-୭୪୫୪), ହିରୋ ଇଗ୍ନିଟର(ୟୁପି-୩୧-ଏଭି-୬୨୫୭), ହୋଣ୍ଡା ୟୁନିକର୍ଣ୍ଣ (ଓଆର-୧୦ଇ-୩୨୨୩), ଟିଭିଏସ ଆପାଚି(ଓଆର-୫ଏଭି- ୦୩୪୮) ଓ ଟିଭିଏସ ସ୍ ପୋଟ୍ସ ସିଡିଆଇ(ଓଡି-୧୦-୭୪୭୧) ରହିଛି। ଯଥେଷ୍ଟ ପ୍ରମାଣ ଦେଇ ମାଲିକମାନେ ସେମାନଙ୍କ ଗାଡି ନେଇ ପାରିବେ ବୋଲି ପୁଲିସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
କୋରାପୁଟ ଟାଉନ ପୁଲିସ ପକ୍ଷରୁ ଏସଡିପିଓ ମନୋଜ ପୂଜାହାରୀ ଓ ଆଇଆଇସି ଧୀରେନ ପଟ୍ଟନାୟକ ସମ୍ବାଦିକ ସମ୍ମିଳନୀରେ କହିଛନ୍ତି, କୋରାପୁଟ ସହରସ୍ଥିତ ହସ୍ପିଟାଲ ପରିସର ଓ ବିଭିନ୍ନ ଅଞ୍ଚଳରୁ ଏହି ଗ୍ୟାଙ୍ଗ ବାଇକ ଚୋରି କରୁଥିଲେ। ଗୋଟିଏ ଜିଲ୍ଲାରୁ ଚୋରି କରି ଅନ୍ୟ ଜିଲ୍ଲାକୁ କୌଶଳ କରି ଚାଲାଣ କରୁଥିଲେ। ଦୁଇ ଗିରଫ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ୪ ଟି ଲେଖାଏଁ ଚୋରି, ଡକାୟତି ସହ ଗାଡି ଚୋରି ପରି ମାମଲା ରହିଛି। ସହରର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏମାନେ ସକ୍ରିୟ ରହି ଚୋରି ଚଳାଉଥିଲେ। ଅଧିକ ତଦନ୍ତ ପାଇଁ ଦୁହିଁଙ୍କୁ ତିନିଦିନିଆ ରିମାଣ୍ଡରେ ଅଣାଯିବାକୁ ଯୋଜନା କରାଯାଉଛି। ରିମାଣ୍ଡରେ ଅଣାଗଲେ କୋରାପୁଟ ସହରରେ ଚୋରି ହୋଇଥିବା ୫୦ ରୁ ଅଧିକ ବାଇକର ପତ୍ତା ସହ ଏହି ଗ୍ୟାଙ୍ଗରେ ଆଉ କେତେଜଣ ରହିଛନ୍ତି ତାହା ପଦାକୁ ଆସିବ। ମାଥିଲି ଅଞ୍ଚଳର ଧନ ପୂଜାରୀଙ୍କ ବାଇକ କୋରାପୁଟ ମେଡିକାଲ ପରିସରରୁ ଚୋରି ହୋଇଥିଲା। ଅଭିଯୋଗ ପରେ ପୁଲିସ ତଦନ୍ତ କରି ଉକ୍ତ ଦୁଇଜଣଙ୍କୁ ଗିରଫ କରିଛି। ଗତ ୫ ମାସ ମଧ୍ୟରେ କୋରାପୁଟ ସହର ମେଡିକାଲ ପରିସର, କୁମ୍ଭାର ସାହି, ମାଳି ସାହି ଅଞ୍ଚଳରୁ ଏମାନେ ଗାଡି ଚୋରି କରି ଜୟପୁର, ନବରଙ୍ଗପୁର ଜିଲ୍ଲାରେ ବିକ୍ରୟ କରୁଥିବା ମାନିଛନ୍ତି। ମାମଲାର ଅଧିକ ତଦନ୍ତ ଜାରି ରହିଛି।