୧୬ ନମ୍ବର ଜାତୀୟ ରାଜପଥ: ୧୧୪ କିମିରେ ୨୦ ବ୍ଲାକ୍‌ ସ୍ପଟ୍‌

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଓ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥରେ ରାଜ୍ୟର ଅନ୍ୟତମ ସର୍ବାଧିକ ବ୍ଲାକ୍ ସ୍ପଟ୍ (ଦୁର୍ଘଟଣା ପ୍ରବଣ ସ୍ଥାନ) ରହିଛି।

ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିକଟରେ ୧୬ ନମ୍ବର ଜାତୀୟ ରାଜପଥର ଭୁବନେଶ୍ୱର ଠାରୁ ବାଲୁଗାଁ ଓ ୫୭ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଠାରୁ ବୋଲଗଡ଼ ମଧ୍ୟରେ ଦୁର୍ଘଟଣା ପ୍ରବଣ ସ୍ଥାନକୁ ଚିହ୍ନଟ କରାଯାଇଥିଲା। ପରିବହନ ବିଭାଗର ରିପୋର୍ଟ ଅନୁସାରେ, ନଖରା ଠାରୁ ବରକୁଳ ମଧ୍ୟରେ ୧୬ ନମ୍ବର ଜାତୀୟ ରାଜପଥର ୧୧୪ କିଲୋମିଟର ରାସ୍ତା ମଧ୍ୟରେ ୨୦ଟି ବ୍ଲାକ୍ ସ୍ପଟ୍ ରହିଛି। ସେଗୁଡ଼ିକ ହେଲା ପାହାଳ ଠାରୁ ରୁଦ୍ରପୁର ବାଇପାସ୍, ପଳାଶୁଣି ଛକ, ହଂସପାଳ ଛକ, ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଠାରୁ ସତସଙ୍ଗ ବିହାର, ଖଣ୍ଡଗିରି ଛକ ଠାରୁ କୋଳଥିଆ ଛକ, ଆଇଗିଣିଆ ଠାରୁ ପାତ୍ରପଡ଼ା, ଗୋହିରା ଛକ, କଳିଙ୍ଗବିହାର ଛକ, ତମାଣ୍ଡୋ ଓଭରବ୍ରିଜ୍, ଗଙ୍ଗପଡ଼ା ଛକ, ପିତାପଲ୍ଲୀ ଛକ, ଲିଙ୍ଗିପୁର ବାଇପାସ ଠାରୁ ଜାତୀୟ ରାଜପଥ, ଦଳେଇପୁଟର କେଏମ୍‌ବିବି କଲେଜ ବୁଲାଣୀ ଠାରୁ ଖୋର୍ଦ୍ଧା ସଦର ଥାନା ଛକ, ରାମେଶ୍ୱର ଛକ ଠାରୁ ଜଙ୍କିଆ ଥାନା, ଚଣ୍ଡେଶ୍ୱର ଠାରୁ କୁହୁଡ଼ି ପେଟ୍ରୋଲ୍ ପମ୍ପ, ନାଚୁଣୀ ପେଟ୍ରୋଲ୍ ପମ୍ପ ଛକ, ସୋଲାରୀ ରେଳ ଷ୍ଟେସନ୍ ଠାରୁ ନାଭାଲ୍ ଆଉଟଟ୍ପୋଷ୍ଟ ଏହା ବ୍ୟତୀତ ଭୁବନେଶ୍ୱର ମହାନଗର ନିଗମ ଅଂଚଳ ମଧ୍ୟରେ ଏଜି ଛକ ଠାରୁ ରାଜଭବନ, ରାମମନ୍ଦିର ଛକ ଠାରୁ ମାଷ୍ଟର କେଂଟିନ୍ ଓ ବୋମିଖାଲ୍ ସର୍ବାଧିକ ଦୁର୍ଘଟଣା ପ୍ରବଣ ଅଟେ।

ଏହା ସହ ଖୋର୍ଦ୍ଧା- ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଠାରୁ ବୋଲଗଡ଼ ମଧ୍ୟରେ ୩୭.୭ କିଲୋମିଟର ରାସ୍ତା ମଧ୍ୟରେ ୩ଟି ସ୍ଥାନକୁ ସର୍ବାଧିକ ଦୁର୍ଘଟଣାପ୍ରବଣ ସ୍ଥାନ ଭାବେ ଚିହ୍ନଟ କରାଯାଇଛି ସେଗୁଡ଼ିକ ହେଲା, ଖୋର୍ଦ୍ଧା ଉପକଣ୍ଡ ତରତୁଅା-ଅାଇଟିବିପି ନିକଟସ୍ଥ ରାସ୍ତା, ଟିକତାଳ ଓ ବୋଲଗଡ଼

ଏହି ସ୍ଥାନଗୁଡ଼ିକରେ ୨୦୧୯ ଜାନୁଆରି ଠାରୁ ୨୦୨୦ ଡିସେମ୍ବର ମଧ୍ୟରେ ୫୦୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୫୫ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ପ୍ରବଣ ସ୍ଥାନଗୁଡ଼ିକରେ ଜାତୀୟ ରାଜପଥରେ ଓଭରବ୍ରିଜ୍, ଅଣ୍ଡରପାସ୍ ସହ ସୂଚନା ଫଳକ, ସିସି ଟିଭି, ସ୍ପିଡ୍ ବ୍ରେକର, ନିୟମିତ ପାଟ୍ରୋଲିଂ ଓ ଦ୍ରୁତ ଗାଡ଼ିଚାଳନା ଯାଂଚ ଆଦି କଡ଼ାକଡ଼ି କରିବାକୁ ଖୋର୍ଦ୍ଧା ଜିଲ୍ଲା ସଡ଼କ ସୁରକ୍ଷା ପାଇଁ ଗଠିତ ସଂସଦୀୟ କମିଟି ରାଜ୍ୟ ପରିବହନ ବିଭାଗକୁ ପରାମର୍ଶ ଦେଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର