କଟିକଟାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରି ନ ଥିଲେ, ପରିସ୍ଥିତି ଆହୁରି ଖରାପ ହୋଇଥାନ୍ତା: ସଂଜୟ ସିଂହ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ କଟିକଟା କଣ୍ଟେନମେଣ୍ଟ ଜୋନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭବିଷ୍ୟତକୁ ଦୃଷ୍ଟିରେ ରଖି ସଂପୃକ୍ତ ଅଞ୍ଚଳକୁ ସରକାର କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ । ଏଭଳି ବ୍ୟବସ୍ଥା କରି ନଥିଲେ ଏବେ ପରିସ୍ଥିତି ଆହୁରି ଖରାପ ଆଡକୁ ମୁହାଁଉ ଥାଆନ୍ତା । ଏହି କଣ୍ଟେନମେଣ୍ଟ ଅଞ୍ଚଳରୁ ଆଜି ଅପରାହ୍ନରେ ୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ସଚିବ ସଂଜୟ ସିଂହ ଏହା କହିଛନ୍ତି । ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, କଟିକଟା ଅଞ୍ଚଳରୁ ପୂର୍ବରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନେ ପଶ୍ଚିମବଙ୍ଗରୁ ଆସିଥିଲେ । ପ୍ରଥମେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରକାର କଟିକଟାକୁ କଣ୍ଟେନମେଣ୍ଟ ଜୋନ ଭାବେ ପରିଣତ କରିଛନ୍ତି । ଏହି ଅଞ୍ଚଳରେ ମୋଟ ୨୬୯ଟି ପରିବାର ରହୁଛନ୍ତି । ଏଠାରୁ ୨୦୦ ନମୁନା ସଂଗ୍ରହ କରାଯାଇଛି । ଅନ୍ୟମାନଙ୍କର ନମୁନା ମଧ୍ୟ ପର୍ଯ୍ୟାୟ କ୍ରମେ ନିଆଯାଇଛି । ଆଜି ସେଥିରୁ୧୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି ।

ଗୋଟିଏ ଦିନରେ ୧୭ ଜଣ କରୋନା ବାହାରିବା ପରେ ମଧ୍ୟ ଲୋକଙ୍କୁ ଡରିବାର କାରଣ ନାହିଁ । ଯେହେତୁ ଏମାନେ ଗୋଟିଏ କଣ୍ଟେନମେଣ୍ଟ ଜୋନରୁ ବାହାରିଛନ୍ତି, ସେଥିପାଇଁ ଚିନା କରିବାର କୌଣସି କାରଣ ନାହିଁ । ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ନ ଥିଲେ ବହୁ ଅସୁବିଧା ହୋଇଥାନ୍ତା । ଏଠାକାର ଲୋକେ ଅନ୍ୟ ଅଞ୍ଚଳକୁ ଯାଇ ସଂକ୍ରମଣ କରିଥାନ୍ତେ ବୋଲି ଶ୍ରୀ ସିଂହ କହିଛନ୍ତି ।

ସରକାର ଜନସାଧାରଣଙ୍କ ସୁରକ୍ଷା ପାଇଁ କଣ୍ଟେନମେଣ୍ଟ ଜୋନ କରିଛନ୍ତି । ପ୍ରବାସୀ ଭାଇଭଉଣୀମାନେ ଯେତେବେଳେ ଓଡ଼ିଶାକୁ ଫେରିବେ, ସରକାର ଯେଉଁ ବ୍ୟବସ୍ଥା କରିଛନ୍ତି ସେଥିରେ ସହଯୋଗ କରନ୍ତୁ । ସରପଞ୍ଚମାନେ ସରକାରୀ ଦାୟି୍‌ବ ତୁଲାଇବା ଦରକାର । ଯେତେବେଳେ ପ୍ରବାସୀମାନେ ଫେରୁଛନ୍ତି, ସରକାରୀ ନିୟମ ପାଳନ କରନ୍ତୁ । ଯଦି ଆପଣ ନ ମାନିବେ ତାହେଲେ ପରିବାର ଓ ଗାଁକୁ ବିପଦ ବଢ଼ିବ ।

ସମ୍ବନ୍ଧିତ ଖବର